ହିନ୍ଦୀରେ ନିର୍ମିତ ହେବ ‘ପ୍ରତୀକ୍ଷା’
![](https://www.odishalink.com/wp-content/uploads/2022/11/Pratikhya-Film-750x430.jpg)
ଓଏଲ୍ ବ୍ୟୁରୋ: ସାରା ଦେଶରେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ନେଇ ଚର୍ଚ୍ଚା। ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ପାନୋରାମା ବିଭାଗରେ ସ୍ଥାନ ପାଇ ଏବେ ସବୁଠି ଚର୍ଚ୍ଚାରେ। ପ୍ରେକ୍ଷାଳୟରେ ଡିସେମ୍ବର ୨ରେ ଏହି ଚଳଚ୍ଚିତ୍ର ରିଲିଜ ହେବାକୁ ଥିବା ବେଳେ ତା ପୂର୍ବରୁ ଆସିଛି ଖୁସି ଖବର। କାରଣ ଏହି ଚଳଚ୍ଚିତ୍ର ଏବେ ହିନ୍ଦୀ ଭାଷାରେ ରିମେକ ହେବ। ଏନେଇ ଖୋଦ୍ ବଲିଉଡର ପ୍ରଖ୍ୟାତ ଅଭିନେତା ଅନୁପମ ଖେର ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅନୁପମ ଖେର ନିଜେ ବାପା ଭୂମିକାରେ ଅଭିନୟ କରିବେ।
ଏନେଇ ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଓଡ଼ିଶା ଲିଙ୍କକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ହିନ୍ଦୀରେ ରିମେକ୍ ହେବ। ଚଳଚ୍ଚିତ୍ରକୁ ପ୍ରଯୋଜନା କରିବେ ଅନୁପମ ଖେର। ଏଥିପାଇଁ ଅଗ୍ରୀମ ଟଙ୍କା ମିଳିଥିବା ନେଇ କହିଛନ୍ତି ଶ୍ରୀ ପଟ୍ଟନାୟକ।
ବାପା-ପୁଅ ସମ୍ପର୍କକୁ ନେଇ ତିଆରି ହୋଇଥିବା ଓଡ଼ିଆ ଫିଲ୍ମ ପ୍ରତୀକ୍ଷା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସ୍ଥାନ ପାଇଛି। ଗୋଆ ରାଜଧାନୀ ପାଣାଜୀରେ ଆୟୋଜିତ ଏହି ମହୋତ୍ସବରେ ଗତକାଲି ଅର୍ଥାତ ମଙ୍ଗଳବାର ଆଇନକ୍ସ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇ ଯାଇଛି। ଭାରତର ପାନୋରାମା ବିଭାଗରେ ୨୫ଟି ଭାରତୀୟ ଭାଷାର ୩୫୪ଟି ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ତା ଭିତରୁ ଗୋଟିଏ ଥିଲା ପ୍ରତୀକ୍ଷା ।
ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଆଧାରରେ ନିର୍ମିତ ଅମୀୟ ପଟ୍ଟନାୟକ ପ୍ରଡକ୍ସନର ଫିଲ୍ମ ‘ପ୍ରତୀକ୍ଷା’ ଏକ ମଧ୍ୟବିତ୍ତ ପରିବାରର ଆଶା, ନିରାଶା, ସ୍ୱପ୍ନ ସଂଘର୍ଷର କାହାଣୀ। ଓଡ଼ିଆ ଫିଲ୍ମ ହିନ୍ଦୀରେ ରିମେକ ହେବ, ଏହା ଖାଲି ଫିଲ୍ମର ପ୍ରଯୋଜକ ବା ଡାଇରେକ୍ଟଙ୍କ ପାଇଁ ନୁହେଁ, ସାରା ଓଡ଼ିଶାବାସୀଙ୍କ ପାଇଁ ଏକ ଗୌରବର କଥା ନିଶ୍ଚୟ ।