କମୁଛି ପାରଦ, ଥରୁଛି ଓଡିଶା
ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫.୩୬ ଡିଗ୍ରୀ ରେକର୍ଡ କରାଯାଇଛି।

ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅସମ୍ଭାଳ ହେବାରେ ଲାଗିଛି ଥଣ୍ଡା। ପାଣିପାଗ ବିଭାଗର ସୂଚନା ଅନୁସାରେ ରାତିରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢ଼ିବ। ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫.୩୬ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ଯାଏଁ ଏଭଳି ଥଣ୍ଡା ପାଗ ଜାରି ରହିବ ଯାହା ପାଣିପାଗ ବିଭାଗ ଅନୁମାନ କରିଛି।
ଶୀତଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ସକାଳୁ ନିଆଁ ଜାଳି ଉଷୁମ ଅନୁଭୂତ କରୁଛନ୍ତି। ରାଜ୍ୟର ଅଧିକାଂଶ ସହରରେ ୨୦ଡିଗ୍ରୀ ତଳକୁ ରହିଛି ତାପମାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସକାଳୁ କୁହୁଡି ହେବ ଏବଂ ବର୍ଷାହେବାର କୌଣସି ସମ୍ଭାବନା ବର୍ତ୍ତମାନ ନଥିବାବେଳେ ପାଗ ଶୁଖିଲା ରହିବ। ତାପମାତ୍ରା କମିବା ଦ୍ୱାରା ରାଜ୍ୟରେ ଜାଡ ଅଧିକ ହେବ ଏବଂ ଆଗାମୀ ଦିନରେ ଶୀତର ପ୍ରକୋପ ଓଡିଶାରେ ବଢିବ ଯାହା ଆଞ୍ଚଳିକ ପାଣିପାଗ ବିଭାଗ ତଥ୍ୟ ଅନୁସାରେ ଅନୁମାନ କରାଯାଉଛି।