ଭୂମିହୀନଙ୍କୁ ଜମି ଦେବା ପାଇଁ, ୫ରାଜ୍ୟକୁ କେନ୍ଦ୍ରର ଚେତାବନୀ
କେନ୍ଦ୍ର ସରକାର ଓଡିଶା ସମେତ ୫ ରାଜ୍ୟକୁ ଚେତାବନୀ ଦେଇ ଚିଠିରେ ଉଲ୍ଲେଖ କରିଛନ୍ତି, ଯଦି ଚଳିତ ମାସ ୧୫ତାରିଖ ସୁଦ୍ଧା ଭୂମିହୀନଙ୍କୁ ଜମି ନ ମିଳେ ତେବେ ଫେରିଯିବ ଆବାସ

ଓଏଲ୍ ବ୍ୟୁରୋ: ଭୂମିହୀନଙ୍କୁ ଜମି ନଦେଲେ ଫେରିଯିବ ଆବାସ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ ଭୂମିହୀନଙ୍କୁ ଜମି ଦେବା ପାଇଁ ୫ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ଓଡିଶା ସମେତ ୫ ରାଜ୍ୟକୁ ଚେତାବନୀ ଦେଇ ଚିଠିରେ ଉଲ୍ଲେଖ କରିଛନ୍ତି, ଯଦି ଚଳିତ ମାସ ୧୫ତାରିଖ ସୁଦ୍ଧା ଭୂମିହୀନଙ୍କୁ ଜମି ନ ମିଳେ ତେବେ ଫେରିଯିବ ଆବାସ।
କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଓଡିଶା ସହ ତାମିଲନାଡୁ, ବିହାର,ମହାରାଷ୍ଟ୍ର ଓ ଆସାମ ରାଜ୍ୟକୁ ଚେତାବନୀ ଦେଇଛି। ୫ ରାଜ୍ୟରେ ଭୂମିହୀନମାନଙ୍କୁ ଜମି ଯୋଗାଇ ଦିଆଯାଇ ନାହିଁ ଏବଂ ଏମାନଙ୍କୁ ଜମି ଯୋଗାଇଦେବା ସେହି ରାଜ୍ୟର ଦାୟିତ୍ୱ ବୋଲି ମନ୍ତ୍ରାଳୟର ଉପ ମହାନିର୍ଦ୍ଦେଶକ ଗୟା ପ୍ରସାଦଙ୍କ ଦ୍ୱାରା ପଠାଇଥିବା ଚିଠରେ ଉଲ୍ଲେଖ ରହିଛି।
ଓଡ଼ିଶାରେ ୫୭ ହଜାର ୯୩୨ ଭୂମିହୀନ ହିତାଧିକାରୀଙ୍କ ମଧ୍ୟରୁ ୩୯ ହଜାର ୮୯ ଜଣଙ୍କୁ ଜମି ଯୋଗାଇ ଦିଆଯାଇଥିବା ବେଳେ ଅନ୍ୟ ୧୮ ହଜାର ୮୪୩ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ଜମି ମିଳନାହିଁ। ସୂଚନା ଅନୁସାରେ ଭୂମିହୀନ ହିତାଧିକାରୀଙ୍କୁ ଜମି ଦେବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଥିଲେ ମଧ୍ୟ ଏଦିଗରେ କୌଣସି କାର୍ଯ୍ୟ କରାଯାଇନାହିଁ। ଯଥାଶୀଘ୍ର ଭୂମିହୀନଙ୍କୁ ଜମି ନ ଦେଲେ ଆବାସ ଫେରିଯିବ ବୋଲି ଚେତାବନୀ ଦିଆଯାଇଛି।