ଅନୁକୁଳଚନ୍ଦ୍ରଙ୍କୁ ଠାକୁର ଘୋଷଣା ପାଇଁ ଆବେଦନ ସୁପ୍ରିମ କୋର୍ଟରେ ଖାରଜ

ଓଏଲ୍ ବ୍ୟୁରୋ: ସୋମବାର ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା। ସୋମବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ଭର୍ତ୍ସନା କରିଛନ୍ତି। ଏଥିସହିତ ଆବେଦନକାରୀଙ୍କ ଉପରେ ସର୍ବୋଚ୍ଚ ଅଦାଲତ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ।
ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ପ୍ରତ୍ୟେକଙ୍କୁ ସେମାନଙ୍କ ଧର୍ମ ପାଳନ କରିବାର ପୂର୍ଣ୍ଣ ଅଧିକାର ରହିଛି ବୋଲି ଜଷ୍ଟିସ୍ ଏମ୍.ଆର୍. ଶାହା ଏବଂ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି । ଆବେଦନକାରୀ ତାଙ୍କ ପିଟିଶନରେ ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, ଭାରତୀୟ ଜନତା ପାର୍ଟି (ଭାଜପା), ଅଲ୍ ଇଣ୍ଡିଆ ମୁସ୍ଲିମ୍ ପର୍ସନାଲ ଲ’ ବୋର୍ଡ, ନ୍ୟାଶନାଲ ଖ୍ରୀଷ୍ଟିଆନ କାଉନ୍ସିଲ, ରାମକ୍ରିଷ୍ଣ ମଡ଼, ଗୁରୁଦ୍ୱାରା ବଙ୍ଗଲା ସାହିବ, ଶ୍ରୀପାଲାନପୁରୀ ସ୍ଥାନକ୍ୱାସି ଜୈନ ଆସୋସିଏଶନ, ବୁଦ୍ଧିଷ୍ଟ ସୋସାଇଟି ଅଫ୍ ଇଣ୍ଡିଆ ଆଦିଙ୍କୁ ପକ୍ଷ କରିଥିଲେ।
ସମସ୍ତେ ଗୋଟିଏ ଧର୍ମ ପାଳନ କରନ୍ତୁ ବୋଲି ତୁମେ କହିପାରିବ ନାହିଁ ବୋଲି ଖଣ୍ଡପୀଠ ଆବେଦନକାରୀ ଉପେନ୍ଦ୍ର ନାଥ ଦଳାଇଙ୍କୁ କହିଥିଲେ। ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଭାରତ ଏକ ଧର୍ମନିରପେକ୍ଷ ଦେଶ। ଏଠାକାର ପ୍ରତ୍ୟେକ ବ୍ୟକ୍ତି ନିଜ ଧର୍ମ ଅନୁସାରେ ପୂଜାର୍ଚ୍ଚନା କରିବା ଏବଂ ନିଜ ନିଜର ଇଷ୍ଟଦେବତାଙ୍କ ପୂଜାର୍ଚ୍ଚନା କରିବାର ଅଧିକାର ରହିଛି। ତେଣୁ ଏଭଳି ଜନସ୍ୱାର୍ଥ ମାମଲା ଦାୟର କରିବା ପୂର୍ବରୁ ଆବେଦନକାରୀଙ୍କୁ ବାରମ୍ବାର ଭାବିବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି।