ବଙ୍ଗୋପସାଗରରେ ବାତ୍ୟାର ଆଶଙ୍କା, ଓଡ଼ିଶାରେ ବର୍ଷାର ସମ୍ଭାବନା
ଓଡ଼ିଶାରେ ଏହାର ସିଧାସଳଖ ପ୍ରଭାବ ନ ଥିଲେ ମଧ୍ୟ ଲଘୁଚାପ ପ୍ରଭାବରେ ୧୦ ଓ ୧୧ ରେ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

ଓଏଲ୍ ବ୍ୟୁରୋ : ବାତ୍ୟାର ଛନକା। ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ ଏବଂ ନେଇପାରେ ବାତ୍ୟାର ରୂପ। ପାଣିପାଗ ବିଭାଗର ସୂଚନା ଦକ୍ଷିଣ ପୂର୍ବ ପାଶ୍ୱବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ବାତ୍ୟାର ରୂପ ନେଇପାରେ। ଓଡ଼ିଶାରେ ଏହାର ସିଧାସଳଖ ପ୍ରଭାବ ନ ଥିଲେ ମଧ୍ୟ ଲଘୁଚାପ ପ୍ରଭାବରେ ୧୦ ଓ ୧୧ ରେ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ପାଇଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀ (କେନ୍ଦ୍ର ଶାସିତ ଅଞ୍ଚଳ) ପାଇଁ ଆଲର୍ଟ ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚେନ୍ନାଇରୁ ପ୍ରାୟ ୯୦୦ କିମି ଦୂରରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସିଷ୍ଟମଟି କେନ୍ଦ୍ରିତ ହୋଇଛି।
ତଳୁଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି। ଲଘୁଚାପ ହେବା ପରେ ରାଜ୍ୟରେ ବର୍ଷା ପରିମାଣ ଆହୁରି ବଢିବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ନାମ ମାଣ୍ଡୋସ୍ ହେବ। ଏହି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ, ସେନା ଏବଂ ନୌସେନା ସତର୍କ ଅଛନ୍ତି।