ବାର୍ଥ ଡେ’ ପାର୍ଟିରେ ବିରୋଧ କରିବାରୁ ମହିଳାଙ୍କୁ ଗଣଦୁଷ୍କର୍ମ
ପାଟିତୁଣ୍ଡ କରି ଡିଜେ ବଜାଉଥିବା ଯୁବକମାନଙ୍କୁ ବାରଣ କରିଥିବାରୁ ଉତ୍ୟକ୍ତ ଯୁବକମାନେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି।

ଓଏଲ୍ ବ୍ୟୁରୋ : ଜନ୍ମଦିନ ଉତ୍ସବରେ ଗଣଦୁଷ୍କର୍ମ ଘଟଣା। ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଗଣ ଦୁଷ୍କର୍ମ ମାମଲା। ରାଜଧାନୀରେ ଜନ୍ମଦିନ ଉତ୍ସବରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ସଙ୍ଗୀନ ଅଭିଯୋଗ ଆସିଛି। ପୁଲିସର ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ଦୀପକ ନାମକ ଜଣେ ବ୍ୟକ୍ତି ଧିରିକୁଟ ବସ୍ତି ପାତ୍ରସାହିରେ ପାର୍ଟିର ଆୟୋଜନ କରିଥିଲେ। ଜନ୍ମଦିନ ଉତ୍ସବରେ ମହିଳା ଜଣକ ପାଟିତୁଣ୍ଡ କରି ଡିଜେ ବଜାଉଥିବା ଯୁବକମାନଙ୍କୁ ବାରଣ କରିଥିବାରୁ ଉତ୍ୟକ୍ତ ଯୁବକମାନେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି।
ଘଟଣାକୁ ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରାଯିବା ପରେ ୩ ଜଣଙ୍କୁ ଗିରଫ କରି ଦୁଷ୍କର୍ମକାରୀ ମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ଅନୁସାରେ ମଞ୍ଚେଶ୍ୱର ଥାନା ଅଂଚଳରେ ଜନ୍ମଦିନ ଉତ୍ସବ ପାଳନ କରୁଥିଲେ କିଛି ଯୁବକ। ଯୁବକମାନେ ଡିଜେ ବଜାଇବା ସହ ନିଶାସକ୍ତ ହୋଇ ପାଟିତୁଣ୍ଡ କରୁଥିଲେ। ଜୋରରେ ପାଟିତୁଣ୍ଡ ଶୁଭିବାରୁ ସ୍ଥାନୀୟ ଜଣେ ମହିଳା ପାଟିତୁଣ୍ଡ କରନାହିଁ କହି ବାରଣ କରିଥିଲେ। ଯାହାଦ୍ୱାରା ନିଶାସକ୍ତ ଯୁବକମାନେ ମହିଳା ତାଙ୍କ ଘରେ ଏକା ଥିବାବେଳେ ଗଣ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଘୃଣ୍ୟ କାର୍ଯ୍ୟରେ ଆହୁରି କିଛି ଯୁବକ ସାମିଲ ଥିବା ଜଣାପଡିବା ପରେ ପୋଲିସ ତଦନ୍ତ କରୁଛି।