ଶ୍ରୀମନ୍ଦିରକୁ ମୋବାଇଲ ଫୋନ ସମ୍ପୂର୍ଣ ନିଷେଧ
ଜାନୁଆରି ୧ ତାରିଖ ଠାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ ନେଇପାରିବେ ନାହିଁ

ଓଏଲ୍ ବ୍ୟୁରୋ : ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ବାରମ୍ବାର ଭାଇରାଲ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ନେଇ ପରିଚାଳନା କମିଟି ବୈଠକ କରିଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆସନ୍ତା ଜାନୁଆରି ୧ ତାରିଖ ଠାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ ନେଇପାରିବେ ନାହିଁ ବୋଲି ନିଷ୍ପତି ଗ୍ରହଣ କରାଯାଇଛି।
ଶ୍ରୀମନ୍ଦିର ଭିତରକୁ ପୂର୍ବରୁ ସାଧାରଣ ଦର୍ଶକଙ୍କ ପାଇଁ ମୋବାଇଲ ଫୋନ ନିଷେଦ୍ଧ ଥିଲା। ବର୍ତ୍ତମାନ ସମସ୍ତଙ୍କ ପାଇଁ କଟକଣା ଦୃଢ କରାଯାଇଛି। ପୁଲିସ, ସେବାୟତ ଓ କର୍ମଚାରୀଙ୍କୁ ଶ୍ରୀମନ୍ଦିରକୁ ମୋବାଇଲ ଫୋନ ବାରଣ ହୋଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ପରେ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ବୀର ବିକ୍ରମ ଯାଦବ ମନ୍ଦିରକୁ ମୋବାଇଲ ଫୋନ ସମ୍ପୂର୍ଣ ନିଷେଦ୍ଧ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପରିଚାଳନା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ଜାନୁଆରି ପହିଲାରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନିଷେଧ କରାଗଲା। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କେ ବିଶାଳ ସିଂ, ପରିଚାଳନା କମିଟିର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ। କଟକଣା ଅନୁସାରେ ଯଦି ନିୟମ ଉଲ୍ଲଂଘନ କରି ଯେଉଁମାନେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବେ, ସେମାନଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି।