ଓଡ଼ିଆ ସମେତ ୧୩ଟି ଭାଷାରେ ହେବ JEE ମେନ୍ ପରୀକ୍ଷା
୨୦୨୩ ଜାନୁଆରୀ ୨୪ ରୁ ୩୧ ଯାଏଁ ପରୀକ୍ଷାର ପ୍ରଥମ ସେସନ ଏବଂ ଦ୍ୱିତୀୟ ସେସନ ଏପ୍ରିଲରେ ହେବ ବୋଲି ଜଣା ପଡିଛି

ଓଏଲ୍ ବ୍ୟୁରୋ : ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ହେବାକୁ ଥିବା ପରୀକ୍ଷାର କାର୍ଯ୍ୟ ସୂଚୀ ପ୍ରକାଶ ପାଇଛି। ଏଥର ଓଡ଼ିଆ ଭାଷାରେ JEE ମେନ ପରୀକ୍ଷା ହେବ। ଏଥିସହିତ ଆହୁରି ୧୨ଟି ଭାଷାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ସର୍ବଭାରତୀୟ ସ୍ତରରେ ଇଂଜିନିୟରିଂ ପାଠ୍ୟକ୍ରମ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଥିବା ବେଳେ ଏଥିରେ ୨ଟି ସେସନରେ ପରୀକ୍ଷା ହେବ।
୨୦୨୩ ଜାନୁଆରୀ ୨୪ ରୁ ୩୧ ଯାଏଁ ପରୀକ୍ଷାର ପ୍ରଥମ ସେସନ ଏବଂ ଦ୍ୱିତୀୟ ସେସନ ଏପ୍ରିଲରେ ହେବ ବୋଲି ଜଣା ପଡିଛି। ନାସନାଲ ଟେଷ୍ଟିଙ୍ଗ ଏଜେନସି ଦ୍ୱାରା JEE ପ୍ରବେଶିକା ପରୀକ୍ଷାର କାର୍ଯ୍ୟ ସୂଚୀ ଘୋଷଣା କରାଯାଇଥିବା ବେଳେ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ପରୀକ୍ଷା କେନ୍ଦ୍ର ଘୋଷଣା କରାଯିବ। ଜାନୁଆରୀ ତୃତୀୟ ସପ୍ତାହରେ JEE ମେନ ପ୍ରବେଶିକା ପରୀକ୍ଷାର ଆଡମିଟ କାର୍ଡ ଉପଲବ୍ଧ ହେବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପୂର୍ବରୁ ଏହା ୨ଟି ଭାଷାରେ ହେଉଥିବାବେଳେ ଏବର୍ଷ ଛାତ୍ରଛାତ୍ରୀ ୧୩ଟି ଭାଷା ଯଥାକ୍ରମେ ଓଡ଼ିଆ, ଇଂରାଜୀ, ହିନ୍ଦୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ଼, ମାଲାୟାଲାମ, ମରାଠି, ତାମିଲି, ତେଲୁଗୁ, ପଂଜାବୀ, ଉର୍ଦୁ ଓ ଆସାମୀ ଭାଷାରେ ପରୀକ୍ଷା ଦେବେ।