୨୫୦୦ ବର୍ଷ ପୁରୁଣା ସଂସ୍କୃତ ପହଳିକୁ କେମ୍ବ୍ରିଜରେ ସମାଧାନ କଲେ ଭାରତୀୟ ଛାତ୍ର

ଓଏଲ୍ ବ୍ୟୁରୋ : କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଜଣେ ଭାରତୀୟ ପିଏଚଡି ଛାତ୍ର ୨୫୦୦ ବର୍ଷ ପୁରୁଣା ସଂସ୍କୃତ ପହଳିକୁ ସମାଧାନ କରି ଚର୍ଚ୍ଚାରେ । ଏଭଳି ଏକ ସଂସ୍କୃତ ପହଳି ଯାହାକୁ ବହୁ ବିଦ୍ବାନଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ବିବିସିର ଏକ ରିପୋର୍ଟ ଅନୁସାରେ ୨୭ ବର୍ଷିୟ ଋଷି ଅତୁଲ ରାଜପୋପଟ ସଂସ୍କୃତ ଭାଷାର ବିଦ୍ବାନ ପାଣିନୀଙ୍କ ଦ୍ବାରା ଲିଖିତ ଏକ ପାଠକୁ ସମାଧାନ କରିଛନ୍ତି । ଏହି ପାଠ ପାଖାପାଖି ୨୫୦୦ ବର୍ଷ ତଳର ବୋଲି ଜଣାପଡ଼ିଛି ।
ଇଣ୍ଡିପେଣ୍ଡଣ୍ଟରେ ପ୍ରକାଶିତ ଖବର ଅନୁଯାୟୀ, ପାଣିନୀ ଯେଉଁ ‘ମେଟାରୁଲ୍’ ଶିଖାଇଥିଲେ, ତାହା ବ୍ୟାକରଣ ଦୃଷ୍ଟିରୁ ଭୁଲ୍ ପରିଣାମ ଦେଉଥିବା କେତେକ ବ୍ୟାଖ୍ୟାକାର କହିଥିଲେ । ପାରମ୍ପରିକ ଭାବରେ ବିଦ୍ବାନଙ୍କ ଦ୍ବାରା ବ୍ୟାଖ୍ୟାରେ କୁହାଯାଇଥିଲା- ‘ସମାନ ଶକ୍ତିର ଦୁଇଟି ନିୟମ ମଧ୍ୟରେ ବିବାଦ ହେଲେ, ବ୍ୟାକରଣର କ୍ରମିକ ସଂଖ୍ୟାରେ ଆସୁଥିବା ନିୟମ ଜିତେ’। ଏହା ପ୍ରାୟତଃ ବ୍ୟାକରଣଗତ ଭାବରେ ଭୁଲ୍ ଫଳାଫଳ ଦେଇଥାଏ।
ଋଷି ଅତୁଲ ରାଜପୋପଟ ମେଟାରୁଲ୍ର ଏହି ପାରମ୍ପରିକ ବର୍ଣ୍ଣନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ମେଟାରୁଲ୍ରେ ନୂଆ ଶବ୍ଦ ତିଆରି କରିବା ପାଇଁ ପରସ୍ପର ବିରୋଧୀ ନିୟମ ରହିଥିବା ବେଳେ ଏ ବାବଦ ଭ୍ରମକୁ ଋଷି ଦୂର କରି ସଠିକ୍ ଶବ୍ଦ ନିର୍ମାଣର ପ୍ରକ୍ରିୟା ବାହାର କରିଛନ୍ତି।
ମେଟାରୁଲର ଏହି ପାରମ୍ପରିକ ବ୍ୟାଖାକୁ ନେଇ ରାଜପୋପଟ କହିଥିଲେ ପାଣିନୀଙ୍କ ଦ୍ବାରା ଲେଖାଯାଇଥିବା ଅର୍ଥ, ଏକ ଶବ୍ଦର ବାମ ଓ ଡାହାଣ ପକ୍ଷରେ ଲାଗୁ ହୋଇଥିବା ନିୟମ ମଧ୍ୟରୁ ଗୋଟିଏ ବାଛିବା । ପାଣିନୀ ଚାହୁଁଥିଲେ ଯେ, ଆମେ ଡାହାଣ ପକ୍ଷରେ ଲାଗୁ ହେଉଥିବା ନିୟମକୁ ଚୟନ କରିବା। ଋଷି ନିଷ୍କର୍ଷ ବାହାର କଲେ ଯେ ପାଣିନୀଙ୍କର ‘ଭାଷା ଯନ୍ତ୍ର’ ପାଖାପାଖି ବିନା କୌଣସି ଅପବାଦର ବ୍ୟାକରାଣିକ ରୂପରୁ ହିଁ ଠିକ୍ ଶବ୍ଦର ନିର୍ମାଣ କରିଥିଲେ ।
ଋଷି କହିଛନ୍ତି, ନ ମାସ ଧରି ସଂସ୍କୃତ ପହଳିକୁ ସମାଧାନ କରିବା ପାଇଁ ଚେଷ୍ଟା କରିବା ପରେ ଶେଷରେ ଏହି କାମକୁ ଛାଡ଼ି ଦେବାକୁ ମନସ୍ଥ କରିଥିଲି । କାରଣ ମୋତେ କୌଣସି ସମାଧାନର ବାଟ ଦେଖାଯାଉ ନଥିଲା। ପରେ ଏକ ମାସ ଯାଏଁ ବହି ଛାଡ଼ି ଗରମର ଆନନ୍ଦ ଉଠାଇଥିଲି ତା ସହିତ ବୁଲାବୁଲି କରୁଥିଲି । ହେଲେ ମୋ ଅନିଚ୍ଛା ସତ୍ତ୍ବେ ମୋ ମନ ଅଧୁରା କାମ ଆଡ଼କୁ ଚାଲିଗଲା । ତାପରେ ବହି ଖୋଲୁ ଖୋଳୁ ମୋତେ ସମାଧାନାର ବାଟ ମିଳିଲା । ଆଉ ପହଳିକୁ ସମାଧାନ କରିବାକୁ ୨ ବର୍ଷ ଲାଗିଲା ବୋଲି ଋଷି କହିଛନ୍ତି ।