ସକ୍ରିୟ ରାଜନୀତିରେ ରହିବିନି: ସୁର ରାଉତରାୟ
![](https://www.odishalink.com/wp-content/uploads/2022/12/Sura-Routray-1-750x430.jpg)
ଓଏଲ୍ ବ୍ୟୁରୋ: ରାଜ୍ୟ କଂଗ୍ରେସର ଦୁଇ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ ନୋଟିସ ଜାରି କରାଯାଇଛି। ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ଏହି ନୋଟିସ ଜାରି କଲେ। ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ନୋଟିସ ଜାରି କରାଯାଇଛି। ୭ ଦିନ ଭିତରେ ନୋଟିର ଉତ୍ତର ରଖିବାକୁ ସମ୍ପୃକ୍ତ ୨ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କାରଣ ଦର୍ଶାଅ ନୋଟିସ ପାଇବା ପରେ ସୁର ରାଉତରାୟ କହିଛନ୍ତି, ନୋଟିସର ଉଚିତ ଜବାବ ଦେବି। ଯାହା ଦଣ୍ଡଦେବେ ଗ୍ରହଣ କରିବି।ଭୋଟ ବିକ୍ରି କଥା କହିନାହିଁ। ୨୮ ହଜାର ଭୋଟ ଗଲା କୁଆଡେ଼ ବୋଲି କହିଥିଲି।କଂଗ୍ରେସର କେଉଁ ନେତା କିମ୍ବା ପ୍ରାର୍ଥୀଙ୍କ ନାମ ବି କହିନି। ଭୋଟର କିଣାବିକା ହୋଇଥିବା କଥା କହିଛି। କଂଗ୍ରେସ ବିରୋଧରେ ବିନ୍ଦୁଏ ବି କହିନି ବୋଲି ସୁର ରାଉତରାୟ କହିଛନ୍ତି।
ଏହାଛଡ଼ା ମୁଁ ଅପ୍ରିୟ ସତ କହିବି, ମୋତେ କେହି ରୋକିପାରିବେନି।ମୁଁ ଆଉ ସକ୍ରିୟ ରାଜନୀତିରେ ରହିବି ନାହିଁ। ତେବେ ଶେଷ ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି।