ଚୀନରୁ ଆସିଥିବା ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ, ବଢ଼ିଲା ଚିନ୍ତା

ଓଏଲ୍ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନରେ କରୋନା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଶ୍ବର ଆଉ କିଛି ଦେଶରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଚୀନର ବେଜିଂ ସହର ସହିତ ଛୋଟବଡ଼ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ତେବେ ଏସବୁ ମଧ୍ୟରେ ଚୀନରୁ ଫେରିଥିବା ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର ଉତ୍ତରପ୍ରଦେଶ ଆଗ୍ରାରେ ବୋଲି ସୂଚନା ରହିଛି।
ଜାତୀୟ ଗଣମାଧ୍ୟମରେ ପ୍ରଶାରିତ ଖବର ଅନୁଯାୟୀ, ଉତ୍ତରପ୍ରଦେଶର ଶାହାଗଞ୍ଜ ଅଞ୍ଚଳର ଜଣେ ୪୦ ବର୍ଷ ବୟସ୍କ ଯୁବକ ଚୀନଯାଇଥିଲେ। ସେ ୨୩ ଡିସେମ୍ବରରେ ଆଗ୍ରାକୁ ଫେରିଥିଲେ। ଏଠାରେ ସେ ଏକ ଘରୋଇ ଲ୍ୟାବରେ କରୋନା ଟେଷ୍ଟ କରିଥିଲେ। ରବିବାର କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ଘରୋଇ ଲ୍ୟାବ ପକ୍ଷରୁ ସୂଚନା ଦିଆଯାଇଥିଲା। ସେପଟେ ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ପୁଣି କିଛି ବୃଦ୍ଧି ପାଇ ୨୩୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇ ଥିଲେ ବି ୩୫୦୦ ତଳେ ରହିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୪୨,୯୮୯। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୮୦% ରହିଛି। ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨୪ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୧%।