କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ? ୨୮ରେ ଓଡ଼ିଶା ଆସୁଛନ୍ତି ନଡ୍ଡା
ନଡ୍ଡା ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଓଏଲ୍ ବ୍ୟୁରୋ: ଆସନ୍ତା ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଯାହାକୁ ନେଇ ବିଜେପି ଶିବିର ଚଳଚଞ୍ଚଳ। ଅନ୍ୟପଟେ ବିଜେପି ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବାକୁ ଯାଉଛି।
ନଡ୍ଡା ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ମଧ୍ୟରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ମଧ୍ୟ ଜାତୀୟ ରାଜନୀତିଠୁ ଆରମ୍ଭ କରି ରାଜ୍ୟ ରାଜନୀତି ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି। କାରଣ ନିକଟରେ ପ୍ରତାପ ଷଡ଼ଙ୍ଗୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟଘାଟ ହୋଇଥିଲା ।
ଗୁରୁବାର ସଂସଦର ଶୀତକାଳୀନ ଅଧିବେଶନକୁ ନେଇ ଦଳୀୟ ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରୁଥିଲେ। ଏହି ସମୟରେ ମୋଦିଙ୍କ ନଜର ପଡିଥିଲା ତାଙ୍କ ପୂର୍ବତନ ମନ୍ତ୍ରିମଣ୍ଡଳର ସଦସ୍ୟ ବାଲେଶ୍ୱର ସାଂସଦ ତଥା ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ। ଆଉ ଏବେ କଣ ଚାଲିଛି ବୋଲି ମୋଦି ପ୍ରତାପଙ୍କୁ ଡାକି ପଚାରିଥିଲେ। ଏହାପରେ ତାଙ୍କ ଅଫିସ ଆସିବାକୁ କହିଥିଲେ। ପରେ ଶୁକ୍ରବାର ପିଏମଓରୁ ଫୋନ୍ କଲ୍ ଆସିଥିଲା ପ୍ରତାପଙ୍କୁ। ପରେ ଉଭୟ ନେତା ଆଲୋଚନା କରିଥିଲେ। ପ୍ରତାପ ଯଦିଓ ଏହି ବୈଠକକୁ ସୌଜନ୍ୟମୂଳକ ସାକ୍ଷାତ କହିଛନ୍ତି କିନ୍ତୁ ଆଗାମୀ ଚ୍ୟାଲେଞ୍ଜକୁ ଦେଖିଲେ ଏହି ବୈଠକ ପଛରେ କିଛି ବଡ଼ ଉଦ୍ଦେଶ୍ୟ ମୋଦିଙ୍କର ରହିଛି ବୋଲି ରାଜନୀତି ମହଲରେ ଖୁବ ଚର୍ଚ୍ଚା ହେଉଛି। ଏପରିକି ଶ୍ରୀ ଷଡ଼ଙ୍ଗୀ ଆଗାମୀ ବିଜେପି ସଭାପତି ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏହି ପ୍ରସଙ୍ଗରେ ପ୍ରତାପ ଷଡ଼ଙ୍ଗୀ ଏପର୍ଯ୍ୟନ୍ତି କିଛି ପ୍ରତିକ୍ରିୟା ରଖିନାହାନ୍ତି ।
ଉଲ୍ଲେଖଯୋଗ୍ୟ, ସାଂସଦ ବସନ୍ତ ପଣ୍ଡାଙ୍କ ପରେ ସମୀର ମହାନ୍ତି ରାଜ୍ୟ ବିଜେପିର ସଭାପତି ହୋଇଛନ୍ତି। ଏହାପୂର୍ବରୁ ମଧ୍ୟ ପ୍ରତାପଙ୍କ ନାଁ ରାଜ୍ୟ ବିଜେପି ସଭାପତି ରେସରେ ରହି ଆସିଛି। କିନ୍ତୁ ଏଯାବତ ସୁଯୋଗ ଦେଇ ନାହିଁ ଦଳ।
ସୂଚନାଥାଉକି, ପ୍ରତାପ ଷଡ଼ଙ୍ଗୀ ଜଣେ କଠୋର ହିନ୍ଦୁବାଦୀ ନେତା। ଯିଏକି ଆରଏସଏସ ସହ ଜଡ଼ିତ। ଏବେର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ମଧ୍ୟ ଆରଏସଏସର ଜଣେ ଖାସ୍ ବ୍ୟକ୍ତି। ବିଜେପି ଯେଉଁଠି ଦୁର୍ବଳ ରହିଛି ଯଥା ତେଲେଙ୍ଗାନା, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଭଳି ଦାୟିତ୍ବରେ ଅଛନ୍ତି ବଂଶଲ।