ଆଇଆଇଟି ଖଡ଼ଗପୁର ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଡିଷ୍ଟିଙ୍ଗୁଇସ୍ଡ ଆଲମ୍ନସ୍ ସମ୍ମାନ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ପ୍ରତିଷ୍ଠାତା ସଭାପତି ତଥା ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଆଇଆଇଟି ଖଡଗପୁର ପକ୍ଷରୁ ଏଠାରେ ବୁଧବାର ଡିଷ୍ଟିଙ୍ଗୁଇସ୍ଡ ଆଲମ୍ନସ୍ ସମ୍ମାନ ପ୍ରଦାନ କରାଯାଇଛି ।
ଗତ ଡିସେମ୍ବର ୨୪ ତାରିଖ ଦିନ ଆଇଆଇଟି, ଖଡ଼ଗପୁରର ୬୮ ତମ ସମାବର୍ତନ ଉତ୍ସବରେ ତାଙ୍କ ଅନୁପସ୍ଥିତିରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନଜନକ ସମ୍ମାନ ପ୍ରଦାନ କରାଯାଇଥିଲା । ବୁଧବାର ଭୁବନେଶ୍ୱର ଗସ୍ତରେ ଆସିଥିବା ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ଭି.କେ.ତିୱାରୀ ପ୍ରଫେସର (ଡକ୍ଟର) ନାୟକଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଛନ୍ତି ।
ପ୍ରଫେସର ନାୟକ ରାଉରକେଲା ସ୍ଥିତ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ପୂର୍ବତନ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ)ରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବି. ଟେକ୍ କରିଥିବା ବେଳେ ଆଇଆଇଟି ଖଡ଼ଗପୁରରେ କମ୍ପ୍ୟୁଟର ସାଇନ୍ସରେ ଏମ୍. ଟେକ୍ ଡିଗ୍ରୀ ହାସଲ କରିଛନ୍ତି । ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅର୍ଥାତ୍ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍ଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ରୁ ପିଏଚ୍ଡି କରିଛନ୍ତି ।
“ଆପଣ ଶିକ୍ଷା ଗ୍ରହଣ କରୁଥିବା ଅନୁଷ୍ଠାନ ଆପଣଙ୍କ ବୃତିଗତ ସଫଳତା, ଶିକ୍ଷା, ଗବେଷଣା, ଶିଳ୍ପ, ସାମାଜିକ ଏବଂ ଆନୁଷ୍ଠାନିକ ସ୍ତରରେ ଆପଣଙ୍କ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରି ନିଜକୁ ଗର୍ବିତ ଅନୁଭବ କରୁଛି” ବୋଲି ପ୍ରଫେସର ନାୟକଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ଏହି ଅବସରରେ ପ୍ରଫେସର ନାୟକ କହିଛନ୍ତି ଯେ, ଏଭଳି ସମ୍ମାନ ଗ୍ରହଣ କରି ଆଇଆଇଟି ଖଡଗପୁର ନିକଟରେ ସେ କୃତଜ୍ଞ ।
ଶ୍ରୀ ତିୱାରୀ କହିଛନ୍ତି, ଆଇଆଇଟି ଖଡଗପୁରର ଅଦ୍ୟାବଧି ପ୍ରାୟ ୭୦ ହଜାର ଆଲୁମ୍ନି ଦେଶ ବିଦେଶରେ ନିଜର ଉଲ୍ଲେଖନୀୟ ଯୋଗଦାନ ରଖିଛନ୍ତି । ପ୍ରଫେସର ନାୟକ ବହୁ ସଂଘର୍ଷ ସହ ଗୋଟିଏ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଆରମ୍ଭ କରି ଦେଶର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି । ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର ଭାବେ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଓ ଉଲ୍ଲେଖନୀୟ ଯୋଗଦାନ ଲାଗି ତାଙ୍କୁ ସମ୍ମାନିତ କରି ଅତ୍ୟନ୍ତ ଖୁସି । ତାଙ୍କର ସଂଘର୍ଷ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ । ଶିକ୍ଷା ଓ ଅନୁସନ୍ଧାନ ର ସଫଳତା ଧାରା ପ୍ରଶଂସା ଯୋଗ୍ୟ ।