ଟିଏମସି ମୁଖପାତ୍ର ସାକେତ ଗୋଖଲେ ଗିରଫ
ସାଇବର କ୍ରାଇମବ୍ରାଞ୍ଚ ୬ରେ ଗିରଫ କରିଥିବା ବେଳେ ୯ ତାରିଖରେ ସେ ପୁଣି ଜାମିନ ପାଇଥିଲେ
![](https://www.odishalink.com/wp-content/uploads/2022/12/sef-t-3-750x430.jpg)
ଓଏଲ୍ ବ୍ୟୁରୋ : ଆଉ ଥରେ ଗିରଫ ହେଲେ ଟିଏମସି ମୁଖପାତ୍ର। କ୍ରାଉଡଫଣ୍ଡିଂ ଜରିଆରେ ସଂଗ୍ରହ କରିଥିବା ଅର୍ଥକୁ ଅପବ୍ୟବହାର କରିବା ଅଭିଯୋଗରେ ଗୁଜରାଟ ପୁଲିସ୍ ଟିଏମସି ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଗୁଜରାଟ ପୁଲିସ୍ ଟିଏମସି ମୁଖପାତ୍ର ସାକେତଙ୍କୁ ଦିଲ୍ଲୀରୁ ଗରିଫ କରିଥିବା ଖବରରୁ ଜଣାପଡ଼ିଛି।
ଖବର ମୁତାବକ ପୂର୍ବରୁ ଡିସେମ୍ବର ୬ରେ ସାଇବର କ୍ରାଇମବ୍ରାଞ୍ଚ ସାକେତଙ୍କୁ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଗିରଫ କରିଥିଲା। ବର୍ତ୍ତମାନ ପୁଣି ଥରେ ତାଙ୍କୁ ଗିରଫ କରାଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାକେତ ଗୋଖଲେଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଅହମଦାବାଦ ସାଇବର କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ଗିରଫ କରିଛି। ତାଙ୍କୁ ଏବେ ଅନ୍ୟ ଆଇନଗତ ପ୍ରକ୍ରିୟା ପାଇଁ ଏଠାକୁ ଅଣାଯାଉଥିବାବେଳେ ପୁଲିସ୍ ଟିମ ସହ ଟିଏମସି ମୁଖପାତ୍ର ସାକେତ ଶୁକ୍ରବାର ଅପରାହ୍ନ ସୁଦ୍ଧା ଗୁଜରାଟରେ ପହଞ୍ଚିବେ।
ପୂର୍ବରୁ ମିଥ୍ୟା ଖବର ପ୍ରଚାର କରିବାରୁ ବିବାଦ ବଢିଥିଲା। ସେ ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ପରେ ସେଠାକୁ ଯାଇଥିଲେ। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ମିଥ୍ୟା ଖବରକୁ ସାକେତ ଭାଇରାଲ କରିଥିଲେ। ଡିସେମ୍ବର ୧ରେ ସେ ଭିଡିଓକୁ ଶେୟାର କରି ମୋଦିଙ୍କ ଗସ୍ତରେ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଦାବି କରିଥିଲେ। ଏହି ଘଟଣାକୁ ନେଇ ସାଇବର କ୍ରାଇମବ୍ରାଞ୍ଚ ୬ରେ ଗିରଫ କରିଥିବା ବେଳେ ୯ ତାରିଖରେ ସେ ପୁଣି ଜାମିନ ପାଇଥିଲେ।। ତେବେ ବର୍ତ୍ତମାନ ପୁଣି ଥରେ ଗୁଜରାଟ ପୁଲିସ୍, କ୍ରାଉଡଫଣ୍ଡିଂ ଜରିଆରେ ସଂଗ୍ରହ କରିଥିବା ଅର୍ଥକୁ ଅପବ୍ୟବହାର କରିବା ଅଭିଯୋଗରେ ଟିଏମସି ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରାଯାଇଛି।