ରେଳଷ୍ଟେସନର ଭିଡ ନେଲା ମହିଳାଙ୍କ ଜୀବନ
ପୁରୀ ରେଳଷ୍ଟେସନର ଅସମ୍ଭାଳ ଭିଡ ଭିତରେ ସେ ତଳେ ପଡ଼ି ଯାଇଥିବା ବେଳେ ଆଉ ଉଠି ପାରି ନ ଥିଲେ
ଓଏଲ୍ ବ୍ୟୁରୋ : ପୁରୀ ରେଳଷ୍ଟେସନର ଅସମ୍ଭାଳ ଭିଡରେ ଚାଲିଗଲା ମହିଳାଙ୍କ ଜୀବନ। ରେଳଷ୍ଟେସନରେ ଗତକାଲି ଅସମ୍ଭାଳ ଭିଡ ଥିବା ବେଳେ ଘଟିଛି ଏହି ଅଭାବନୀୟ ଘଟଣା। ନିଜ ଝିଅ ଘରକୁ ଯିବାକୁ ଆସିଥିବା ଜଣେ ମହିଳାଙ୍କର ପୁରୀ ରେଳଷ୍ଟେସନରେ ମୃତ୍ୟୁ ହୋଇଥିବା ଜଣା ପଡିଛି। ସୂଚନା ଅନୁସାରେ ଷ୍ଟେସନରେ ଅସମ୍ଭାଳ ଭିଡ଼ ଭିତରେ ମହିଳା ଜଣକ ତଳେ ପଡ଼ି ଯାଇ ଆଉ ଉଠିପାରିନଥିଲେ ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।
ମୃତ ମହିଳାଜଣକ ହେଲେ ପୁରୀ ଡେଲାଙ୍ଗ କଣ୍ଟାପଡାର କୁନିମଣି ନାୟକ। ପୁରୀରେ ଗତକାଲି ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଉତ୍ସବ ଥିବା ବେଳେ ହଜାର ହଜାର ଭକ୍ତ ପୁରୀ ଆସିଥିଲେ। ହଜାର ହଜାର ଭକ୍ତ ଆସିଥିବାରୁ ପୁରୀ ରେଳଷ୍ଟେସନରେ ଅତ୍ୟଧିକ ଭିଡ ଦେଖିବାକୁ ମିଳିଥିଲା। ପାଖାପାଖି ୮ରୁ ୧୦ ହଜାର ଯାତ୍ରୀ ଷ୍ଟେଶନରେ ଉପସ୍ଥିତ ଥିଲେ। ଏହି ସମୟରେ କୁନିମଣି ନାୟକ ନିଜର ଜଣେ ସମ୍ପର୍କୀୟଙ୍କ ସହ ରେଳଷ୍ଟେସନକୁ ଯାଇଥିଲେ। ପୁରୀ ରେଳଷ୍ଟେସନର ଅସମ୍ଭାଳ ଭିଡ ଭିତରେ ସେ ତଳେ ପଡ଼ି ଯାଇଥିବା ବେଳେ ଆଉ ଉଠି ପାରି ନ ଥିଲେ। ସେଠାରେ ଉପସ୍ଥିତ ଜିଆରପି କର୍ମୀ ଓ ଅନ୍ୟମାନେ ତୁରନ୍ତ ତାଙ୍କୁ ପୁରୀ ମେଡିକାଲ ନେଇଥିଲେ। ତେବେ ଚିକିତ୍ସାଳୟରେ ଡାକ୍ତର କଣ୍ଟାପଡାର କୁନିମଣି ନାୟକଙ୍କୁ ମୃତ ଘୋଷଣା କରିଥିବା ଜଣା ପଡିଛି।