ଶ୍ରୀମନ୍ଦିର ରତ୍ନ ସିଂହାସନରେ ମୂଷା ଓ ଅସରପା ଆତଙ୍କ
ଶ୍ରୀଅଙ୍ଗ ଓ ଖଣ୍ଡୁଆ ପାଟକୁ ମଧ୍ୟ ବହୁ ସମୟରେ ନଷ୍ଟ କରି ଦେଉଛନ୍ତି
ଓଏଲ୍ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନସିଂହାସନ ଓ ଗର୍ଭଗୃହରେ ମୂଷା ଓ ଅସରପା ଆତଙ୍କ। ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ସୃଷ୍ଟି କରିଛି ମୂଷା। ମୂଷାମାନେ କନକମୁଣ୍ଡି ଚାନ୍ଦୁଆରେ ରହୁଛନ୍ତି। ମହାପ୍ରଭୁଙ୍କ ପହୁଡ଼ ପରେ ଅନ୍ଧାରର ସୁଯୋଗ ନେଇ ଠାକୁରଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଂଚାଇବାକୁ ଉଦ୍ୟମ କରୁଥିବା ଜଣାପଡିଛି। ମୂଷା ଓ ଅସରପା ଶ୍ରୀଅଙ୍ଗକୁ ଖରାପ କରୁଥିବା ବେଳେ ଶ୍ରୀଅଙ୍ଗ ଓ ଖଣ୍ଡୁଆ ପାଟକୁ ମଧ୍ୟ ବହୁ ସମୟରେ ନଷ୍ଟ କରି ଦେଉଛନ୍ତି।
ଏନେଇ ବହୁବାର ପ୍ରଶାସନ ପକ୍ଷରୁ ମୂଷା ଧରିବାକୁ ବ୍ୟବସ୍ଥା ହୋଇଛି, ତଥାପି କୌଣସି ସୁଫଳ ମିଳିନଥିବା ସେବାୟତଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିଛି। ପ୍ରଭୁଙ୍କ ସେବା ସମୟରେ ଅସରପା ଓ ମୂଷା ଚାରିଆଡେ ବୁଲୁଥିବା ସେବାୟତ କହିଛନ୍ତି। ମହାବାହୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣୀ ଦଉଡିଙ୍କୁ ମଧ୍ୟ କାଟିଛନ୍ତି। ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଯୋଗୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଏବେ ସଙ୍କଟରେ ଥିବା ସେବାୟତ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି, ଶ୍ରୀଅଙ୍ଗକୁ ସୁରକ୍ଷା କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି।