ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ୧୦ ଶ୍ରଦ୍ଧାଳୁଙ୍କ ଜୀବନ
ଦୁର୍ଘଟଣା ଗ୍ରସ୍ତ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ଓଏଲ୍ ବ୍ୟୁରୋ : ଆଜି ସକାଳୁ ମୁମ୍ବାଇରୁ ଶିରିଡି ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି। ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୦ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣା ପଡିଛି।
ଏହି ଅଭାବନୀୟ ଦୁର୍ଘଟଣାରେ ସାମ୍ମୁଖିନ ହୋଇଥିବା ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସୂଚନା ମୁତାବକ, ଶୁକ୍ରବାର ଭୋର ସମୟରେ ନାସିକ- ଅହମଦନଗର ବାଟ ଦେଇ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏହି ବସଟି ଭୀଷଣ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।
ସୂଚନା ମୁତାବକ, ବସରେ ଥିବା ସମସ୍ତ ଯାତ୍ରୀ ଶିରିଡି ସାଇ ବାବାଙ୍କ ଦର୍ଶନ ପାଇଁ ଯାଉଥିଲେ। ରାଜପଥରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସହ ଧକ୍କା ହେବା ଦ୍ୱାରା ବସଟି ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଆହତ ମାନଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।
ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସଂକ୍ରାନ୍ତରେ ଅବଗତ ହେବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶୋକବ୍ୟକ୍ତ କରିଛନ୍ତି। ଦୁର୍ଘଟଣା ଗ୍ରସ୍ତ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ଘଟଣା ସଂକ୍ରାନ୍ତରେ ତଦନ୍ତ କରିବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି।