କେନ୍ଦ୍ରାପଡ଼ାରେ ୨୪ ଘଣ୍ଟିଆ ବନ୍ଦ ପାଳନ, ଗାଡି ଚଳାଚଳ ବାଧା ପ୍ରାପ୍ତ
ସହର ବନ୍ଦକୁ ସହରବାସୀ ସମର୍ଥନ ଜଣାଇବା ସହିତ ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହ ପିକେଟିଂ
ଓଏଲ୍ ବ୍ୟୁରୋ : ଆଜି କେନ୍ଦ୍ରାପଡ଼ାରେ ୨୪ ଘଣ୍ଟିଆ ବନ୍ଦ ପାଳନ। ସିଟି ହସ୍ପିଟାଲ ଦାବିରେ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୌରାଞ୍ଚଳ ବନ୍ଦ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିବାରୁ ସିଟି ହସ୍ପିଟାଲ ପାଇଁ ଦାବି କରି ଏହି ବନ୍ଦ ପାଳନ କରାଯାଉଛି। ୨୪ ଘଣ୍ଟିଆ ବନ୍ଦ ଯୋଗୁଁ ସହରର ସମସ୍ତ ଦୋକାନ ଓ ବଜାର ବନ୍ଦ। ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଜଣା ପଡିଛି। ସହର ବନ୍ଦକୁ ସହରବାସୀ ସମର୍ଥନ ଜଣାଇବା ସହିତ ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହ ପିକେଟିଂ କରାଯାଇଛି।
ସୂଚନା ଅନୁସାରେ, ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲରେ ପରିଣତ କରିବାକୁ ଦାବି କରୁଛନ୍ତି କାରଣ କେବଳ ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବ˚ ରକ୍ତ ଭଣ୍ତାରକୁ ଛାଡ଼ି ଦେଲେ ବାକି ସବୁ ବିଭାଗ ଗତ ୯ତାରିଖରେ ଶାମଗୁଡ଼ିଆସ୍ଥିତ ନୂଆ ଛଅ ତାଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତରିତ ହୋଇଛି। ଏହି ସ୍ଥାନାନ୍ତରକୁ ସହରବାସୀ ସ୍ବାଗତ କରୁଥିଲେ ବି ପୁରୁଣା ମେଡିକାଲ୍କୁ ସିଟି ହସ୍ପିଟାଲ୍ କରିବାକୁ ଦାବି କରି ଆସୁଛନ୍ତି। ଏହି ଦାବି ନେଇ ଗତ ୬ତାରିଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ ଆଜି ସହର ବନ୍ଦ ପାଳନ କରାଯାଇଛି।