ଚିଟ୍ଫଣ୍ଡ ମାମଲା: ଜମାକାରୀ କିଭଳି ଟଙ୍କା ଫେରିପାଇବେ ଜଣାଅ କହିଲେ ସୁପ୍ରିମକୋର୍ଟ

ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ଜମାକାରୀ କିଭଳି ଟଙ୍କା ଫେରସ୍ତ ପାଇ ପାରିବେ ସେ ନେଇ ବିଶେଷ ଗୁରୁତ୍ବାରୋପ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ଶୁଣାଣି ବେଳେ ବିଚାରପତି ଜଷ୍ଟିସ ଏମ୍.ଆର୍ ଶାହା ଓ ବିଚାରପତି ସି.ଟି ରବିକୁମାରଙ୍କ ଖଣ୍ଡପୀଠ ସଲିସିଟର୍ ଜେନେରାଲ, ଆବେଦନକାରୀଙ୍କ ଆଇନଜୀବୀ, ଆମିକସ୍ କ୍ୟୁରିଙ୍କ ସମେତ ମାମଲାର ସମସ୍ତ ପକ୍ଷ ଏ ବାବଦରେ ସେମାନଙ୍କ ପରାମର୍ଶ ଦୁଇ ସପ୍ତାହ ମଧ୍ୟରେ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୨୦ରେ ହେବ ବୋଲି ସୂଚନା ରହିଛି।
ଚିଟ୍ଫଣ୍ଡ ମାମଲାର ଶୁଣାଣିରେ ନିଜ ପକ୍ଷ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସ୍ଜି ତୁଷାର ମେହେଟା କହିଥିଲେ ଯେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ କେନ୍ଦ୍ର ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷରୁ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଏହି ମାମଲାରେ ଅଚଳ ସମ୍ପତ୍ତିକୁ ଜବତମୁକ୍ତ (ଡିଆଟାଚମେଣ୍ଟ) କରି ଜମାକାରୀଙ୍କୁ ଫେରସ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜି ଅଛି। ତେବେ ସମସ୍ୟା ହେଲା, ଜବତ ପ୍ରକ୍ରିୟାକୁ କଂପାନିମାନଙ୍କ ଦ୍ବାରା ଚ୍ୟାଲେଞ୍ଜ କରାଯାଇଛି।
ଏଥିସହିତ ଜମାକାରୀମାନଙ୍କୁ ଚିହ୍ନଟ କରିବା ଏବଂ ଟଙ୍କା ବଣ୍ଟନ ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇଛି ବୋଲି ସେ କୋର୍ଟରେ କହିଛନ୍ତି। ଆୟକର ବିଭାଗ, ଇଡି ଓ ସେବି ଭଳି ତିନିଟି ସଂସ୍ଥା ହେବାରୁ କିଏ ଏହାକୁ କାର୍ଯ୍ୟକାରୀ କରିବ ସେ ନେଇ କେନ୍ଦ୍ର ନିଷ୍ପତ୍ତି ନେଇପାରୁନାହାନ୍ତି। ଶୁଣାଣି ବେଳେ ଖଣ୍ଡପୀଠ ଜାଣିବାକୁ ଚାହିଥିଲେ ଯେ କାହିଁକି ଜମାକାରୀଙ୍କୁ ଏ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ହୋଇନାହିଁ? କେତୋଟି ମାମଲାରେ ଟଙ୍କା ଫେରସ୍ତ ହୋଇଛି? ସାଧାରଣ ଲୋକ ସେମାନଙ୍କ ଟଙ୍କା ଫେରିପାଇଛନ୍ତି କି? ଏହାର ଜବାବରେ ଏସ୍ଜି କହିଥିଲେ ଯେ ସେବି ପାଖରେ ୨୫ ହଜାର କୋଟି ଟଙ୍କା ରହିଛି।