ପେଟ୍ରୋଲ ଦୀପ ଫାଟି ଶିଶୁ କନ୍ୟା ମୃତ
ଦୀପ ଲଗାଇବା ବେଳେ ଦୀପ ଫାଟି ଯିବାରୁ ଗୋଟିଏ ପରିବାରର ୪ ଜଣ ଜଳି ଯାଇ ଗୁରୁତର
ଓଏଲ୍ ବ୍ୟୁରୋ : ପେଟ୍ରୋଲ ଦୀପ ନେଇଗଲା ଶିଶୁର ଜୀବନ। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରେ ଘଟିଛି। ପେଟ୍ରୋଲ ଦୀପ ଲଗାଇବା ବେଳେ ଦୀପ ଫାଟି ଯିବାରୁ ଗୋଟିଏ ପରିବାରର ୪ ଜଣ ଜଳି ଯାଇ ଗୁରୁତର ହୋଇଥିଲେ। ଗୁରୁତରମାନେ ହେଲେ ବାପା, ମାଆ, ଝିଅ ଓ ୪ ବର୍ଷର ନାତୁଣୀ। ସେମାନଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ୪ ବର୍ଷୀୟ ନାତୁଣୀର ମୃତ୍ୟୁ ହୋଇଥିବା ଖବରରୁ ଜଣା ପଡିଛି।
ଗତକାଲି ଗଂଜାମ ବନ୍ଧାଗୋଚ୍ଛା ଗାଁରେ ହାତୀ ଚଳପ୍ରଚଳ ଯୋଗୁ ବନ ବିଭାଗ ପକ୍ଷରୁ ବିଦ୍ୟୁତକାଟ କରାଯାଇଥିଲା। ବିଦ୍ୟୁତ କାଟ ହେବାରୁ ପେଟ୍ରୋଲ ଦୀପ ବ୍ୟବହାର କରୁଥିଲେ ପରିବାର ଲୋକେ। ସେହି ସମୟରେ ଦୀପଟି ଫାଟି ଯିବାରୁ ୪ ଜଣ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ପରିବାର ଲୋକଙ୍କ ଚିତ୍କାର ଶୁଣି ଗାଁ ଲୋକ ପରିବାରର ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋରଡ଼ା ମେଡିକାଲ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିବା ଜଣା ପଡିଛି।