ସମ୍ ହସ୍ପିଟାଲ୍ରେ କଙ୍ଗାରୁ ମଦର କେୟାର ସମ୍ପର୍କିତ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ଅପରିପକ୍ୱ ଶିଶୁମାନଙ୍କୁ ମା’ର ସ୍ୱତନ୍ତ୍ର ଯତ୍ନ ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞମାନଙ୍କ ଭୁମିକା ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍), ୟୁନିସେଫ୍ ଏବଂ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନିଓନାଟୋଲୋଜି ବିଭାଗର ମିଳିତ ସହଯୋଗରେ ଏହି କର୍ମଶାଳା ଜାନୁଆରୀ ୨୦ ତାରିଖରେ ଆୟୋଜିତ ହୋଇଥିଲା ।
ସାରା ଦେଶରେ ଜାତୀୟ ସ୍ତରରେ କଙ୍ଗାରୁ ମଦର କେୟାର (କେଏମ୍ସି) ଫାଉଣ୍ଡେସନ୍ ପକ୍ଷରୁ ଏଭଳି କର୍ମଶାଳା ଆୟୋଜିତ ହୋଇଥିବା ବେଳେ ତାହାର ଏକ ଅଂଶ ବିଶେଷ ଭାବେ ସମ୍ ହସ୍ପିଟାଲ୍ରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ଭାରତର ବିଭିନ୍ନ ପ୍ରାନ୍ତରୁ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଏହି ଅବସରରେ କେଏମ୍ସି ଫାଉଣ୍ଡେସନ୍ ଇଣ୍ଡିଆର ମ୍ୟାନେଜିଂ ଟ୍ରଷ୍ଟି ଡକ୍ଟର ଶଶି ବାନୀ ଯୋଗ ଦେଇ ଏହି ଉଦ୍ଦେଶ୍ୟକୁ ଦେଶର ବିଭିନ୍ନ ହସ୍ପିଟାଲ୍ ଏବଂ ଲୋକମାନଙ୍କ ଭିତରେ ଅଧିକ ମାତ୍ରାରେ ପ୍ରସାର କରିବା ନେଇ ମତ ଦେଇଥିଲେ ।
କର୍ମଶାଳାରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନ୍ୟାସ୍ନାଲ୍ ନିଓନାଟୋଲୋଜି ଫୋରମ୍, ଇଣ୍ଡିଆର ପରବର୍ତୀ ସଭାପତି ଡକ୍ଟର ସୁଷମା ନାଙ୍ଗିଆ, ନୁଆଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ହସ୍ପିଟାଲ୍ର ଶିଶୁରୋଗ ବିଭାଗର ପ୍ରଫେସର ଡକ୍ଟର ହରିଶ ଚେଲାନୀ ଏବଂ ଡକ୍ଟର ଶ୍ରୀନିବାସ ମୁର୍କୀ ପ୍ରମୁଖ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅପରିପକ୍ୱ ଭାବେ ଜନ୍ମ ଗ୍ରହଣ କରିଥିବା ଶିଶୁର ସ୍ୱାସ୍ଥ୍ୟ ଏବଂ ଏ ନେଇ ମା’ର ଯତ୍ନ ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା । ସମ୍ ହସ୍ପିଟାଲ୍ ପକ୍ଷରୁ ଡାକ୍ତର ଦେବାଶିଷ ନନ୍ଦ ଓ ଡାକ୍ତର ଆଶିଷ ମେହେଟ୍ଟା କର୍ମଶାଳାର ସଂଯୋଜନା କରିଥିଲେ ।