ହିନ୍ଦୀ ଭାଷାରେ ରିଲିଜ୍ ହେଲା ‘ଦମନ’
ଶୁକ୍ରବାର ଦେଶର ୩ଶହରୁ ଊର୍ଧ୍ୱ ହଲରେ ଦର୍ଶକ ଦେଖିବେ ଏହି ଫିଲ୍ମ

ଓଏଲ୍ ବ୍ୟୁରୋ : ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂତନ ଇତିହାସ ଯୋଡିଲା ‘ଦମନ’। ଆଜି ହିନ୍ଦୀ ଭାଷାରେ ରିଲିଜ୍ ହୋଇଛି ’ଦମନ’। ଶୁକ୍ରବାର ଦେଶର ୩ଶହରୁ ଊର୍ଧ୍ୱ ହଲରେ ଦର୍ଶକ ଦେଖିବେ ଏହି ଫିଲ୍ମ। ମୁମ୍ବାଇର ପିଭିଆର ହଲରେ ଏହି ଫିଲ୍ମର ହୋଇଛି ପ୍ରିମିୟର ସୋ। ଏଥିପାଇଁ ଦମନର ପୂରା ଦଳ ମୁମ୍ବାଇ ଗସ୍ତରେ ଯାଇଥିବା ଜଣା ପଡିଛି।
୨୦୨୨ ନଭେମ୍ବର ୪ରେ ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ପରଦାକୁ ଆସିଥିଲା ’ଦମନ’। ଏଥିରେ ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଦୀପନ୍ୱିତ ଦାସମହାପାତ୍ର ଦମଦାର ଅଭିନୟ ପ୍ରଦର୍ଶନ କରିଥିଲେ । ରାଜ୍ୟର ଅନେକ ସିନେମା ହଲରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ। ଦର୍ଶକଙ୍କ ଭଲ ପାଇବାକୁ ନେଇ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡିଥିଲା ଦମନ।
କେବଳ ଓଡ଼ିଶାରେ ନୁହେଁ ଦେଶର ୬ଟି ପ୍ରମୁଖ ସହରରେ ମଧ୍ୟ ରିଲିଜ୍ ହୋଇଥିଲା ଏହି ଫିଲ୍ମ। ଦିନକୁ ଦିନ ଏହି ଫିଲ୍ମର ଲୋକପ୍ରିୟତା ବଢ଼ିବା ପରେ ଏହାକୁ ସର୍ବ ଭାରତୀୟ ସ୍ତରରେ ରିଲିଜ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ପ୍ରଯୋଜନ ସଂସ୍ଥା। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ। ଜେପି ମୋସନ ପିକଚର୍ସ ଓ ମେଣ୍ଟସ୍ ଫିଲ୍ମସ୍ ମିଳିତ ଭାବେ ପ୍ରସ୍ତୁତ ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି ଦୀପେନ୍ଦ୍ର ସାମଲ।
୨୦୨୨ରେ ନିର୍ମାଣ ହୋଇଥିବା ସମସ୍ତ ଫିଲ୍ମ ମଧ୍ୟରୁ ଓଲିଉଡ଼ ଚଳଚ୍ଚିତ୍ର ’ଦମନ’ ଥିଲା ସବୁଠାରୁ ଚର୍ଚ୍ଚିତ। ବାବୁସାନଙ୍କ ନିଖୁଣ ଅଭିନୟକୁ ବେଶ୍ ପ୍ରଶଂସା କରିଥିଲେ ଦର୍ଶକ। ଓଡ଼ିଆ ପରି ହିନ୍ଦୀ ଭାଷାରେ ମଧ୍ୟ ଏହି ଫିଲ୍ମକୁ ସେହିଭଳି ଭଲପାଇବା ମିଳିବ ବୋଲି ଆଶା କରାଯାଉଛି। ଓଲିଉଡ଼ର ଏହି ସିନେମା ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ନୂଆ ରୂପ ଦେଇଥିବା କୁହାଯାଉଛି।