ରାଜ୍ୟରେ ଶୀତର ଲେଉଟାଣି ; ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ
ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬ ଡିଗ୍ରି ରହିଥିଲା
ଓଏଲ୍ ବ୍ୟୁରୋ : କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଯାଇଥିଲା। ଥଣ୍ଡା କମିଯିବାରୁ ଧନଜୀବନ ବାଧାପ୍ରାପ୍ତ ହେଉନଥିଲା। ତେବେ କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଫେରିଛି ଶୀତ ଲହରୀ। କିଛି ଅଞ୍ଚଳରେ ରାତିରେ ପ୍ରବଳ ଶୀତ ଅନୁଭୂତ ହୋଇଥିବାବେଳେ ଦିନରେ କିଛି ଅଞ୍ଚଳରେ ପ୍ରଚଣ୍ଡ ଖରା ହେଉଥିବା ଜଣା ପଡ଼ିଛି।
ଗତରାତିରେ ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହୋଇଥିଲା। ସେଠାରେ ଦିନର ତାପମାତ୍ରା ଅଧିକ ରହିବା ସହ ଖରା ଟାଣ ହେଉଛି। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬ ଡିଗ୍ରି ରହିଥିଲା।
ସୂଚନା ଅନୁସାରେ, ଆଜି ରାତିରୁ ରାଜ୍ୟର ପାରଦସ୍ତରରେ ବୃଦ୍ଧି ଦେଖାଯିବ। ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଜଣା ପଡ଼ିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ରାଜ୍ୟରେ ଧୀରେଧୀରେ ଶୀତ କମିବ। ଆଜି ସକାଳୁ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ। ୭ ତାରିଖ ଆଡ଼କୁ କୁହୁଡ଼ିର ମାତ୍ରା ବଢିପାରେ ବୋଲି କୁହାଯାଉଛି। ସମଗ୍ର ଉପକୂଳ ସମେତ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷେ, ଉପକୂଳ ଓଡ଼ିଶାରେ ଶୀତର ପ୍ରଭାବ କମିବାରେ ଲାଗିଛି, ତଥାପି ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି। ରାତିରେ କାକର ପଡୁଥିବାରୁ ସକାଳ ବୁଲା ସମୟରେ ଲୋକେ ସାମାନ୍ୟ ଥଣ୍ଡାର ଅନୁଭୂତିକୁ ସାମ୍ନା କରୁଛନ୍ତି। ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା କମୁଥିବାରୁ ଥଣ୍ଡା ଅନୁଭୂତ ହେଉଛି, ହେଲେ ପୂର୍ବ ଭଳି ଜାଡ଼ ନଥିବା କୁହାଯାଉଛି।