ଭାଇରାଲ ଫିଭରରେ କଲବଲ ଓଡ଼ିଶାବାସୀ

ଓଏଲ୍ ବ୍ୟୁରୋ: ରାଜ୍ୟରେ ବଦଳିବାରେ ଲାଗିଛି ପାଣିପାଗ। ଦିନରେ ପ୍ରବଳ ଖରା ହେଉଥିବା ବେଳେ ସକାଳୁ ଓ ରାତିରେ ହେଉଛି ଶୀତ ଅନୁଭୂତ। ଅନ୍ୟପଟେ ରାଜ୍ୟରେ ବଢ଼ି ଚାଲିଛି ଭାଇରାଲ ଫିଭର।ଯଦିଓ ଋତୁ ପରିବର୍ତ୍ତନ ବେଳେ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ କିନ୍ତୁ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଏପରି ସ୍ବାସ୍ଥ୍ୟ ସମସ୍ୟା ବଢ଼ିଛି। ଛୋଟ ଛୁଆଠୁ ବୃଦ୍ଧ ଏବେ ଭାଇରାଲ ଫିଭର ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ପ୍ରଥମେ ଥଣ୍ଡା, ଜ୍ୱର, କାଶ, ମୁଣ୍ଡ ବିନ୍ଧା ଏହାପରେ ଗଳା ବଥା ଏବଂ କଥା ହେବାରେ ଯନ୍ତ୍ରଣା ହେଉଥିବା ଦେଖିବାକୁ ମିଳିଛି। ଏହି ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଲୋକଙ୍କ ମଧ୍ୟରେ ଅନେକ ଭୟ ମଧ୍ୟ ଦେଖାଦେଲାଣି।
ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି, ରାଜ୍ୟରେ ଥଣ୍ଡା, ଜ୍ୱର ବଢିବା ପରେ ଫ୍ଲୁ ସର୍ଭେଲାନ୍ସ କାର୍ଯ୍ୟକ୍ରମ ଜାରି ରହିଛି। ଫ୍ଲୁର ଜଟିଳତା କଣ ରହିଛି ସେ ନେଇ ଅନୁଧ୍ୟାନ ହେଉଛି। ଡେଙ୍ଗୁ ଭଳି ଇନଫ୍ଲୁଏନଜା ଭାଇରାସର ବିଭିନ୍ନ ସେରୋ ଟାଇପ୍ ଦେଖିବାକୁ ମିଳିଛି। ଇନଫ୍ଲୁଏନଜା-ଏ, ବି, ସି, ଡି ସେହିପରି ଏଚ-୩ ଏନ୍-୧, ଏଚ-୩ ଏନ-୨ ଆଦି ଷ୍ଟ୍ରେନ୍ ଦେଖିବାକୁ ମିଳୁଛି।
ସବୁବର୍ଷ ଏହି ସମୟରେ କାଶ, ଜ୍ୱର ଦେଖାଯାଏ କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟା ବଢି ଯାଇଛି। କୋଭିଡ ସମୟରେ ଲୋକେ ମାସ୍କ ପିନ୍ଧୁଥିଲେ, ସାମାଜିକ ଦୂରତା ରକ୍ଷା କରୁଥିଲେ। ଏବେ କୌଣସି କଟକଣା ନାହିଁ କି ମାସ୍କ ପିନ୍ଧୁନାହାନ୍ତି ଲୋକେ ଯାହାଫଳରେ ଏହା ବଢ଼ିବାରେ ଲାଗିଛି ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ବର୍ତ୍ତମରନ ରାଜ୍ୟରେ ହେଉଥିବା ଫ୍ଲୁକୁ ମାତ୍ ଦେବାକୁ ହେଲେ ଲୋକଙ୍କୁ ପ୍ରତିଷେଧମୂଳକ ସଟ୍ ନେବା ଦରକାର। କାରଣ କୌଣସି ରୋଗରେ ଆକ୍ରାନ୍ତ ହେବା ପରେ ଅନେକ ଲୋକ ଆଣ୍ଟିବାୟୋଟିକ ଅଧିକ ଖାଇଥାନ୍ତି। ଯାହା ଏବେ ଆଉ କାମ ଦେଉନାହିଁ।