ସରିଲା ନବ ଦାସଙ୍କ ଅସ୍ଥି ବିସର୍ଜନ, ଏପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ
ନବ ଦାସଙ୍କ ମୃତ୍ୟୁକୁ ୧୦ଦିନ ହୋଇଥିବାବେଳେ ତାଙ୍କ ପୁଅ ଆଜି ଅସ୍ତି ବିସର୍ଜନ କରିଛନ୍ତି

ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି କରିଛି। ହତ୍ୟା ଘଟଣାର ଅଭିଯୁକ୍ତ ପୁଲିସ କର୍ମଚାରୀ ଗୋପାଳକୁ ଗିରଫ କରାଯାଇଥିବାବେଳେ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଜାରି କରିଛି କ୍ରାଇମବ୍ରାଞ୍ଚ। ନବ ଦାସଙ୍କ ମୃତ୍ୟୁକୁ ୧୦ଦିନ ହୋଇଥିବାବେଳେ ତାଙ୍କ ପୁଅ ଆଜି ପ୍ରୟାଗରାଜରେ ଅସ୍ତି ବିସର୍ଜନ କରିଛନ୍ତି। ମୃତ୍ୟୁକୁ ୧୦ଦିନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାର କାରଣ ସ୍ପଷ୍ଟ ହୋଇପାରିନାହିଁ।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ନବ ଦାସଙ୍କ ହତ୍ୟାର ତଦନ୍ତକୁ ନେଇ ସନ୍ଦେହ ପ୍ରକାଶ କଲେ ନବ ଦାସଙ୍କ ଶିକ୍ଷକ।ହାଇସ୍କୁଲରେ ୩ ବର୍ଷ ପଢାଇଥିବା ଶିକ୍ଷକ ଏଥିପାଇଁ ନିଜର ସନ୍ଦେହ ପ୍ରକାଶ କରିଥିବା ସୂଚନା। ହତ୍ୟାକାରୀ ପକେଟରେ ଚିଠି ୨ ଦିନ ରହିବା ଏବଂ ଫ୍ଲସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନବ ଦାସଙ୍କ ଶିକ୍ଷକ। ଏଗୁଡା ଦେଖିଲା ବେଳକୁ ବିଚିତ୍ର ଓ ବିରକ୍ତ ଲାଗୁଛି। ଚିଠି ପ୍ରସଙ୍ଗ ପରେ ବିଶ୍ୱାସ ହେଉନି ତଦନ୍ତ ଠିକ୍ ସ୍ଥାନରେ ପହଞ୍ଚିବ । ଦେଖାଯାଉ ବଡ ବଡ ଅଫିସରମାନେ ତଦନ୍ତ କରୁଛନ୍ତି କଣ ହେଉଛି। ତଦନ୍ତ ସଫଳ ହେଲେ ମୁଖ୍ୟମନ୍ତ୍ରୀଙ୍କ ଗୌରବ ରହିବ, ନଚେତ ଗରିମା କମିବ ବୋଲି କହିଲେ ନବ ଦାସଙ୍କ ଶିକ୍ଷକ।
ଅନ୍ୟପକ୍ଷେ, ଏହି ଘଟଣାର ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରୁ ଆସି ଝାରସୁଗୁଡାରେ ପହଞ୍ଚିଲେ ଆଉ ୪ ଜଣିଆ ଟିମ୍। କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ ପାଇଁ ଜଷ୍ଟିସ ଜେପି ଦାସଙ୍କୁ ହାଇକୋର୍ଟ ଦେଇଛନ୍ତି ଦାୟିତ୍ୱ। ତେବେ ଆଜି ଝାରସୁଗୁଡ଼ା ଯିବେ ଜଷ୍ଟିସ ଜେପି ଦାସ।
ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୧୦ଦିନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନଥିବା ଜଣା ପଡିଛି। ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭରସା ନ ଥିବା ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିବା ସୂଚନା ମିଳିଛି। ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା କରାଯାଇଛି।