ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ କ୍ରିକେଟରୁ ଅବସର ଘୋଷଣା କଲେ ଫିଞ୍ଚ୍

ଓଏଲ୍ ବ୍ୟୁରୋ: ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ଦୁର୍ଦ୍ଦଶ ବ୍ୟାଟସ୍ମ୍ୟାନ୍ ଆରୋନ ଫିଞ୍ଚ। ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଏହି ବଡ଼ ଘୋଷଣା କରିଛନ୍ତି ଫିଞ୍ଚ୍ । ସେ ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷିତ ଅଷ୍ଟ୍ରେଲିଆ ଦଳରେ ନାହାନ୍ତି।
ଆରୋନ୍ ଫିଞ୍ଚ ୨୦୨୨ ମସିହାରେ ଦିନିକିଆ କ୍ରିକେଟରୁ ବିଦାୟ ନେଇଥିଲେ। ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଦଳ ୨୦୨୧ରେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୧୫ରେ କଙ୍ଗାରୁ ଦଳ ଦିନିକିଆ ବିଶ୍ୱକପ ଜିତିଥିବାବେଳେ ଫିଞ୍ଚ ମଧ୍ୟ ସେହି ସମୟରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ଫିଞ୍ଚ ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ। ତାଙ୍କର ୧୨ ବର୍ଷର କ୍ୟାରିୟରରେ ମାତ୍ର ୫ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି।
ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ବାଏ ବାଏ କରିବା ଅବସରରେ ଫିଞ୍ଚ୍ କହିଛନ୍ତି, ଅନୁଭବ କରିଛି ଯେ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପରେ ମୁଁ ଖେଳି ପାରିବି ନାହିଁ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଅବସର ନେବା ପାଇଁ ମୋର ଉପଯୁକ୍ତ ସମୟ, ତେଣୁ ଦଳ ଆଗକୁ ବଢିପାରିବ। ରଣନୀତି ଉପରେ କାର୍ଯ୍ୟ କରିବାବେଳେ ଅନ୍ୟ ଖେଳାଳି ପ୍ରସ୍ତୁତ ହୋଇପାରିବେ। ମୁଁ ଅଷ୍ଟ୍ରେଲିଆର ସମସ୍ତ ଖେଳାଳି, ମୋ ଦଳ, ପରିବାର ଏବଂ ସ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ମୋତେ ସବୁବେଳେ ସମର୍ଥନ କରିଛନ୍ତି। ୨୦୨୧ରେ ଟି-୨୦ ବିଶ୍ୱକପ ଏବଂ ୨୦୧୫ରେ ଦିନିକିଆ ବିଶ୍ୱକପ ଜିତିବା ମୋ କ୍ୟାରିୟରର ସର୍ବୋତ୍ତମ ସ୍ମୃତି ହେବ ବୋଲି ଫିଞ୍ଚ୍ କହିଛନ୍ତି।
ଆରୋନ ଫିଞ୍ଚ ତାଙ୍କ କ୍ୟାରିୟରରେ ୧୪୬ଟି ଦିନିକିଆ ଖେଳି ୧୭ ଶତକ ସହିତ ହାରାହାରି ୩୮.୮୯ରେ ମୋଟ ୫୪୦୬ ରନ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ, ଫିଞ୍ଚ ୧୦୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ହାରାହାରି ୩୪.୨୯ ୩୧୨୦ ରନ ସଂଗ୍ରହ କରିଛନ୍ତି। ଏଥିରେ ୨ଟି ଶତକ ସାମିଲ ଅଛି। ଏହା ବ୍ୟତୀତ ଫିଞ୍ଚ କଙ୍ଗାରୁ ଦଳ ପାଇଁ ୫ଟି ଟେଷ୍ଟ ମ୍ୟାଚ ଖେଳି ହାରାହାରି ୨୭.୦୮ରେ ମାତ୍ର ୨୭୮ ରନ ସଂଗ୍ରହ କରିଛନ୍ତି।