କଂଗ୍ରେସରେ ଯୋଗଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ
କଂଗ୍ରେସର ମିଶ୍ରଣ ପର୍ବ ପାଇଁ ଓଡ଼ିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏବଂ ବିଜୟ ପଟ୍ଟନାୟକ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି

ଓଏଲ୍ ବ୍ୟୁରୋ : କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ଉପସ୍ଥିତିରେ ଯୋଗ ଦେବେ ବୋଲି ଜଣାପଡିଛି। ସେ ରାହୁଲ ଗାନ୍ଧୀଙ୍କ ସହ ଭେଟିବା ପରେ ଦଳରେ ଯୋଗ ଦେବେ।
କଂଗ୍ରେସର ମିଶ୍ରଣ ପର୍ବ ପାଇଁ ଓଡ଼ିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏବଂ ବିଜୟ ପଟ୍ଟନାୟକ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ଆସନ୍ତାକାଲି ଏହି ମିଶ୍ରଣ ପର୍ବ ହେବ ବୋଲି ଏଆଇସିସି ତରଫରୁ କଂଗ୍ରେସ ସଦସ୍ୟଙ୍କୁ ଅବଗତ କରାଯାଇଛି। ମିଶ୍ରଣ ପର୍ବ ଦ୍ବାରା ଓଡ଼ିଶାରେ କଂଗ୍ରେସର ଶକ୍ତିଶାଳୀ ସ୍ତିତି ସୃଷ୍ଟି ହେବ ବୋଲି ଦଳ ଆଶା କରିଛି।
ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ୨୦୧୩ ମସିହାରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ସେ ଷ୍ଟାଫ୍ ସିଲେକ୍ସନ୍ କମିସନ୍ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ସେ ମାନବାଧିକାର କମିଶନ ଭାବେ ନିଯୁକ୍ତ ହୋଇଥିଲେ। ମାନବାଧିକାର କମିଶନ ପଦରୁ ସେ ଇସ୍ତଫା ଦେଇ ବେଦାନ୍ତ ବିଶ୍ବବିଦ୍ୟାଳୟରେ ଯୋଗଦେଇଥିଲେ। ସେଠାରୁ ମଧ୍ୟ ପରବର୍ତ୍ତି ସମୟରେ ଇସ୍ତଫା ଦେଇଥିଲେ। ବିଜୟ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ।
ଖବର ଅନୁସାରେ, ବିଜୟ ପଟ୍ଟନାୟକ ପୂର୍ବରୁ କଂଗ୍ରେସରେ ଯୋଗଦେବେ ବୋଲି ପ୍ରସ୍ତୁତି ସରିଥିଲା। ସେତେବେଳେ ଶରତ ପଟ୍ଟନାୟକ ସଭାପତି ହୋଇ ନ ଥିଲେ। ହେଲେ ସେ ସଭାପତି ହେବା ପରେ ବିଜୟଙ୍କ ମିଶ୍ରଣ ସ୍ଥଗିତ ରହିଥିଲା। ତାଙ୍କୁ ଦଳରେ ସାମିଲ କରିବା ପାଇଁ ଦିଲ୍ଲୀ ସ୍ତରୀୟ ନେତାମାନେ ପ୍ରଚେଷ୍ଠା କରିଥିଲେ। ଦଳରେ ସାମିଲ କରିବା ପାଇଁ ଭୁବନେଶ୍ବରରେ ବିଜୟଙ୍କ ସହିତ ଏକାଧିକବାର ବୈଠକ ହୋଇସାରିଛି।
ପୂର୍ବରୁ ୨୦୨୨ରେ ଭୁବନେଶ୍ୱର ବିମାନବନ୍ଦରରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସହ ବିଜୟ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା। ଦୁଇ ଜଣଙ୍କୁ ଏକା ସଙ୍ଗେ ଦେଖିବା ପରେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା।