୭୦ ହଜାର ପୁଲିସଙ୍କ ହେବ ମାନସିକ ଯାଞ୍ଚ
ଅଭିଯୁକ୍ତ କ୍ରାଇମବ୍ରାଞ୍ଚକୁ କହିଛି ଯେ ମୋତେ ବ୍ରଜରାଜନଗର ସବ-ଜେଲରେ ନ ରଖି ଜିଲ୍ଲା କିମ୍ବା ଅନ୍ୟ ଜିଲ୍ଲାର ଜେଲରେ ରଖାଯାଉ।

ଓଏଲ୍ ବ୍ୟୁରୋ: ଓଡ଼ିଶା ରାଜନୀତିର ପାଓ୍ବାରଫୁଲ ନେତା ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା କ୍ରାଇମବ୍ରାଞ୍ଚର ନିଦ ହଜାଇ ଦେଇଛି। ଦିନ ଗଡ଼ିବା ସହ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗତକାଲି କ୍ରାଇମସ୍ପଟରେ ନକଲି ବନ୍ଧୁକରେ ଅସଲି ଅପରାଧର ଡେମୋ ଦେଖାଇଥିଲା ଗୋପାଳ। ଆଜି ଘଟଣାସ୍ଥଳ ବୁୁଲି ଦେଖିଛନ୍ତି ଡଜିପି ସୁନୀଲ ବଂଶଲ ଓ ଜଷ୍ଟିସ୍ ଜେପି ଦାସ। ସବୁଠୁ ବଡ଼କଥା ହେଲା ନବ ଦାସଙ୍କୁ ଜଣେ ପୁଲିସ ଏଏସଆଇ ହତ୍ୟା କରିବା ପରେ ଏସ୍ପିଓ ଭାବେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀଙ୍କ ମାନସିକ ଅବସ୍ଥା ଯାଞ୍ଚ କରିବାକୁ ଡିଜି ସୁନୀଲ ବଂଶଲ ନିର୍ଦେଶ ଦେଇଛନ୍ତି।
ଅନ୍ୟପଟେ ଆଜି ସରିବ ଅଭିଯୁକ୍ତ ଗୋପାଳ ଦାସର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ନେଇ ହତ୍ୟା ରହସ୍ୟ ଖୋଜିବାକୁ ଚେଷ୍ଟା କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ପୁଣି ତାକୁ ରିମାଣ୍ଡରେ ନିଆଯିବ ନା ନାହିଁ, ଏଯାଏ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଏହାରି ଭିତରେ ହତ୍ୟାର ସମ୍ପର୍କରେ ଏବେବି ଅନ୍ଧାରରେ ଅଛି ତଦନ୍ତକାରୀ ଦଳ।
ସେହିପରି ଅଭିଯୁକ୍ତ କ୍ରାଇମବ୍ରାଞ୍ଚକୁ କହିଛି ଯେ ମୋତେ ବ୍ରଜରାଜନଗର ସବ-ଜେଲରେ ନ ରଖି ଜିଲ୍ଲା କିମ୍ବା ଅନ୍ୟ ଜିଲ୍ଲାର ଜେଲରେ ରଖାଯାଉ। ବ୍ରଜରାଜନଗର ସବ-ଜେଲରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଅନେକ ଗୁଣ୍ଡା ବା ସମର୍ଥକ ରହୁଛନ୍ତି। ତେଣୁ ସେମାନେ ମୋତେ ଯେ କୌଣସି ମୂହୁର୍ତରେ ହତ୍ୟା କରି ପାରନ୍ତି। ଏପରିକି ଉଦାହରଣ ଦେଇ ସେ କହିଛି ଗତ ବର୍ଷ ଡିସେମ୍ବର ମାସ ୨୦ ତାରିଖରେ ଯେଉଁ ଭଳି କଣ୍ଟାବାଞ୍ଜି ଜେଲରେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଲା, ସେମିତି ମୋ କ୍ଷେତ୍ରରେ ମଧ୍ୟ ଘଟିପାରେ।
ସୂଚନା ମୁତାବକ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଏଏସଆଇ ହତ୍ୟା କରିବା ପରେ ଏସ୍ପିଓ ଭାବେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀଙ୍କ ମାନସିକ ଅବସ୍ଥା ଯାଞ୍ଚ କରିବାକୁ ଡିଜି ସୁନୀଲ ବଂଶଲ ନିର୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଧାୟକ ଓ ମନ୍ତ୍ରୀଙ୍କ ଏସ୍ପିଓମାନଙ୍କ ମାନସିକ ସ୍ଥିତ ଯାଞ୍ଚ କରାଯିବ। ସେହିପରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ସହିତ ଏସକର୍ଟ ପାର୍ଟିରେ ଯାଉଥିବା ପୁଲିସ କର୍ମଚାରୀମାନଙ୍କ ମାନସିକ ସ୍ଥିତି ଯାଞ୍ଚ କରିବାକୁ ପ୍ରାଧାନ୍ୟ ଦିଆଯିବ। ଏହା ପରେ ରାଜ୍ୟ କାମ କରୁଥିବା ୭୦ ହଜାର ପୁଲିସ କର୍ମଚାରୀ ମାନସିକ ସ୍ଥିତିକୁ ପର୍ଯ୍ୟାୟକ୍ରମେ ଯାଞ୍ଚ କରାଯିବ ବୋଲି ପୁଲିସ ଡିଜି ଶ୍ରୀ ବଂଶଲ କହିଛନ୍ତି।