କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ଗାଡ଼ି ; ୩ ମୃତ ଏବଂ ୧୨ ଆହତ
ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗାଁରେ
![](https://www.odishalink.com/wp-content/uploads/2023/02/accident-750x430.jpg)
ଓଏଲ୍ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଏକ ଗ୍ରାମରେ ଘଟିଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ। ଗାଡି ମାଡିଯିବାରୁ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଲାଞ୍ଜିପଲ୍ଲୀ ଅଞ୍ଚଳର ସ୍ୱପ୍ନା ରେଡ୍ଡୀ, ସଞ୍ଜୁ ରେଡ୍ଡୀ, ଭାରତୀ ରେଡ୍ଡୀ। ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗାଁରେ। ଗତକାଲି ଘଟିଥିବା ଏହି ଦୁର୍ଘଟଣାରେ ଦୁଃଖର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ଗତକାଲି ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗାଁରେ ଏକ ବିବାହ କାର୍ଯ୍ୟକ୍ରମ ଥିଲା। ବରଯାତ୍ରୀ ଧରି ବରପକ୍ଷ କନ୍ୟାଘରେ ପହଞ୍ଚିବା ପରେ ଘଟିଥିଲା ଏହି ଦୁଃଖଦ ଘଟଣା। କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ସେଠାରେ ଉପସ୍ଥିତ ଲୋକଙ୍କ ଉପରେ ସ୍କର୍ପିଓ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିବା ପରେ ସ୍କର୍ପିଓ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣା ପଡିଛି। ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଆହତ ହୋଇଥିବା ବ୍ୟକ୍ତିଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।