ନିଜକୁ ଫିଟ୍ ରଖିବା ପାଇଁ ଇଞ୍ଜେକସନ୍ ନେଉଛନ୍ତି ଭାରତୀୟ ଖେଳାଳି, ବଡ଼ ଖୁଲାସା କଲେ ଚେତନ ଶର୍ମା
ଚେତନ ଶର୍ମାଙ୍କ ଏଭଳି ଖବର ସମସ୍ତ ଗଣମାଧ୍ୟମରେ ପ୍ରସାରିତ ହେବା ପରେ କ୍ରିକେଟ ଦୁନିଆରେ ଆଲୋଡ଼ନ ଖେଳିଯାଇଛି।

ଓଏଲ୍ ବ୍ୟୁରୋ: ଭାରତୀୟ କ୍ରିକେଟ ଇତିହାସରେ ସବୁଠୁ ବଡ଼ ଖୁଲାସା। ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ବାରା ହୋଇଥିବା ଷ୍ଟିଙ୍ଗ ଅପରେସନ୍ରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଏଭଳି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଭାରତୀୟ କ୍ରିକେଟର୍ମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକ୍ସନ୍ ନେଉଛନ୍ତି। ଆହତ ଥିବା ସତ୍ତ୍ବେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକ୍ସନ୍ ଉପରେ ସେମାନେ ନିର୍ଭର କରନ୍ତି ବୋଲି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି।
କେବଳ ଏତିକି କହି ନାହାନ୍ତି ଚେତନ ଶର୍ମା। ସେ ଆହୁରି କହିଛନ୍ତି ଯେ, ଭାରତୀୟ ଦଳର କିଛି ବଡ଼ କ୍ରିକେଟର ବି ଇଞ୍ଜେକ୍ସନ୍ ନେଇଥା’ନ୍ତି। ଏପରିକି ସେମାନେ ନିଜର ବ୍ୟକ୍ତିଗତ ଡାକ୍ତର ରଖିଛନ୍ତି। ଯେତେବେଳେ ବି ଉକ୍ତ ଖେଳାଳିମାନେ ଆହତ ହୁଅନ୍ତି, ସେମାନଙ୍କ ଡାକ୍ତର ତାଙ୍କୁ ଫିଟ୍ କରାଇବା ପାଇଁ ଇଞ୍ଜେକ୍ସନ୍ ଯୋଗାଇ ଦିଅନ୍ତି ବୋଲି ଚେତନ କହିଛନ୍ତି। ସେହିପରି ଖେଳାଳି ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଖେଳାଳି ଶାରୀରିକ ଭାବେ ଅଯୋଗ୍ୟ ଥାନ୍ତି। କିନ୍ତୁ ସେହି ଖେଳାଳିମାନଙ୍କୁ ଦଳରେ ରଖିବା ପାଇଁ ଅନୁରୋଧ ଆସିଥାଏ। କିଛି ତାରକା ଖେଳାଳି ସଂପୂର୍ଣ୍ଣ ସୁସ୍ଥ ହୋଇନଥିଲେ ବି ଏନ୍ସିଏ ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ ଓ ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ଚୟନକର୍ତ୍ତାଙ୍କ ଉପରେ ଛାଡ଼ି ଦିଆଯାଇଥାଏ ବୋଲି ଚେତନ କହିଛନ୍ତି।
ଚେତନ ଶର୍ମାଙ୍କ ଏଭଳି ଖବର ସମସ୍ତ ଗଣମାଧ୍ୟମରେ ପ୍ରସାରିତ ହେବା ପରେ କ୍ରିକେଟ ଦୁନିଆରେ ଆଲୋଡ଼ନ ଖେଳିଯାଇଛି। ଦଳରେ ସ୍ଥାନ ପାଇବାକୁ ଇଞ୍ଜେକ୍ସନ୍ ନେଉଥିବା କଥା ଜଣାପଡ଼ିବା ପରେ କ୍ରିକେଟ ପ୍ରଶଂସକମାନଙ୍କୁ ବଡ଼ ଧକ୍କା ଲାଗିଛି। କେବଳ ଏତିକି ନୁହେଁ ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଉପରେ ମଧ୍ୟ ବଡ଼ କଥା କହିଦେଇଛନ୍ତି ଚେତନ।
ଷ୍ଟିଙ୍ଗ୍ ଅପରେସନରେ ବ୍ୟକ୍ତି ଜଣକ ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କ ବିଷୟରେ ପଚାରିଥିଲେ। ୨୦୨୧ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ କୋହଲି ଦଳର ନେତୃତ୍ବ ଛାଡ଼ିବା ପାଇଁ ଚାହିଥିଲେ। ବିଶ୍ବକପ୍ ପରେ ଭାରତୀୟ ଦଳ ତିନି ଟେଷ୍ଟ ଓ ଦିନିକିଆ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଯିବାର ଥିଲା। କିନ୍ତୁ ଚେତନଙ୍କ ନେତୃତ୍ବାଧୀନ ଚୟନ ସମିତି କୋହଲିଙ୍କୁ ଦିନିକିଆ ଦଳର ନେତୃତ୍ବରୁ ହଟାଇ ଦେଇଥିଲା। ଏହାକୁ ନେଇ ଅନେକ ଆଲୋଚନା କରାଯାଇଥିଲା। କୋହଲିଙ୍କୁ ମଧ୍ୟ ଏହି ଦାୟିତ୍ବରୁ ହଟାଯିବା ଆଗରୁ ଅବଗତ କରାଯାଇନଥିବା ଜଣାପଡ଼ିଥିଲା। ଏସଂପର୍କରେ ସାମ୍ବାଦିକ ସମ୍ମିଳନୀରେ କୋହଲି ଯାହା କହିଥିଲେ, ତାହାକୁ ଗାଙ୍ଗୁଲି ଗ୍ରହଣ କରିପାରିନଥିଲେ। ପରେ ଗାଙ୍ଗୁଲି ଟ୍ବେଣ୍ଟି-୨୦ ଦଳର ନେତୃତ୍ବରୁ ଓହରିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କୋହଲିଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ କୋହଲି ଅଗ୍ରାହ୍ୟ କରିଦେଇଥିଲେ। ଏହାପରଠୁ କୋହଲି ଓ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ହେଉଥିଲା।
ଏହି ଘଟଣା ଉପରୁ ପରଦା ହଟାଇବାକୁ ଯାଇ ଚେତନ କହିଛନ୍ତି, ବିରାଟ କୋହଲି ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ଛାଡ଼ନ୍ତୁ ବୋଲି ଗାଙ୍ଗୁଲି ଚାହୁଁନଥିଲେ। ଏବିଷୟରେ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ବି ତାହାକୁ କୋହଲି ଠିକ୍ ଭାବେ ବୁଝି ପାରିନଥିଲେ। ଯେଉଁଥିପାଇଁ ଦିନିକିଆ ଦଳର ନେତୃତ୍ବରୁ ତାଙ୍କୁ ହଟାଯିବା ପଛରେ ଗାଙ୍ଗୁଲିଙ୍କ ହାତ ଥିବା କୋହଲି ଧରିନେଇଥିଲେ। ଏହାଫଳରେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଗାଙ୍ଗୁଲିଙ୍କ ମାନହାନି କରିବାକୁ ଚାହୁଥିଲେ କୋହଲି। କିନ୍ତୁ ଦିନିକିଆ ଓ ଟ୍ବେଣ୍ଟି-୨୦ରେ ଜଣେ ଅଧିନାୟକଙ୍କୁ ରଖାଯିବାକୁ ଚୟନ ସମିତି ଚାହୁଥିବା କୋହଲିଙ୍କୁ ବୁଝାଯାଇଥିଲା। ହେଲେ ସେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ।
ସେ ଆହୁରି କହିଛନ୍ତି, ବର୍ତ୍ତମାନ ବିରାଟ କୋହଲି ଏବେ କୌଣସି ଦଳର ନେତୃତ୍ବ ନେଉନାହାନ୍ତି ସତ, ତଥାପି ଦଳରେ ତାଙ୍କ କଥା ଚାଲୁଛି। ଲୋକଙ୍କୁ ଦେଖାଇବା ପାଇଁ ତାଙ୍କୁ ନେତୃତ୍ବରୁ ବାହାର କରାଯାଇଛି, କିନ୍ତୁ ରୋହିତ ଦଳର ଅଧିନାୟକ ଥିବା ସତ୍ତ୍ବେ ସବୁ ନିଷ୍ପତ୍ତି କୋହଲି ନେଉଥିବା ଚେତନ କହିଛନ୍ତି। କୋହଲି ଓ ରୋହିତଙ୍କ ମଧ୍ୟରେ କୌଣସି ବିବାଦ ନାହିଁ, କିନ୍ତୁ ଉଭୟଙ୍କ ମଧ୍ୟରେ ପରସ୍ପର ପ୍ରତି ଈର୍ଷା ଓ ଅହଂକାର ଭାବ ରହିଛି। ଏଥି ସହ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଟି-୨୦ ଦଳରୁ ବାଦ ଦେବା ପାଇଁ ବାହାନା କରାଯାଉଛି ବୋଲି ଚେତନ ଶର୍ମା କହିଛନ୍ତି।