ପୁଣିଥରେ ବିବାଦରେ ଜୟନାରାୟଣ ମିଶ୍ର
ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରତିବାଦ କରିବା ସମୟରେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୁଲିସ
ଓଏଲ୍ ବ୍ୟୁରୋ : ଆଉ ଥରେ ଚର୍ଚ୍ଚାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମ୍ବଲପୁରରେ ପ୍ରତିବାଦ କରୁଛି ବିଜେପି। ପ୍ରତିବାଦ ସମୟରେ ପ୍ରଦର୍ଶନ କରିଥିବା ଆଚରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଜୟନାରାୟଣ ମିଶ୍ର।
ସୂଚନା ଅନୁସାରେ, ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରତିବାଦ କରିବା ସମୟରେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୁଲିସ। ଆନ୍ଦୋଳନକାରୀଙ୍କୁ ପୁଲିସ ରୋକିବା ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଲିସ କର୍ମଚାରୀଙ୍କୁ ଧକ୍କା ମାରିଥିବା ଦେଖିବାକୁ ମିଳିଛି। ଶହ ଶହ ବିଜେପି କର୍ମୀଙ୍କ ପ୍ରତିବାଦ ଭିତରେ ମହିଳା ପୁଲିସ ଅଧିକାରୀଙ୍କୁ ଧକ୍କା ମାରିଛନ୍ତି ଜୟନାରାୟଣ।
ଜୟନାରାୟରଣ ପୁଲିସ ଅଧିକାରୀଙ୍କୁ ଧକ୍କା ମାରିବା କଥା ଚର୍ଚ୍ଚା ହେଉଥିବାବେଳେ ସେ କହିଛନ୍ତି, ଆମେ ଆଇନ ଅମାନ୍ୟ ଆନ୍ଦୋଳନ କରୁଥିଲୁ। ଆଇନ ଅମାନ୍ୟ ଆନ୍ଦୋଳନରେ ସାଧାରଣ ଠେଲା ପେଲା ଚାଲେ। କିନ୍ତୁ ଧନୁପାଲ୍ଲୀ ଆଇଆଇସି ଜାଣିକରି ଆଗ ମୋତେ ଧକ୍କା ମାରିଲେ। ସେ ଆଇଆଇସି ଜଣକ ବହୁତ ଦୁର୍ନୀତି କାମରେ ସମ୍ପୃକ୍ତ। ତାଙ୍କୁ ପ୍ରଶ୍ନ କରିବାରୁ ସେ ଧକ୍କା ମାରୁଥିଲେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆନ୍ଦୋଳନ କରୁଥିବା ସମୟରେ ଯଦି ପୁଳିସ ବିରୋଧୀ ଦଳ ନେତାଙ୍କୁ ଧକ୍କା ମାରୁଛି ତାହା ହେଲେ ପୁଲିସର ଆଚରଣ କିପରି ହୋଇଥାଇପାରେ ତାହା ଅନୁମାନ କରନ୍ତୁ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଥମେ ପୁଲିସ ଧକ୍କା ମାରିବା ପରେ ମୁଁ ତାଙ୍କୁ କହିଥିଲି ତୁମେ ଦୁର୍ନୀତିଗ୍ରସ୍ତ ଲୋକ। ତାହା ପରେ ପୁଣିଥରେ ଉତ୍ତେଜିତ ହୋଇ ସେ ମୋତେ ଧକ୍କା ମାରିଲେ। ଧନୁପାଲ୍ଲୀ ଥାନା ଏବେ ଡକାୟତି ସେଣ୍ଟରରେ ପରିଣତ ହୋଇଛି। ଓଡ଼ିଶା ପୁଲିସ ଆଇନ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରି ସାରିଛି। ମୁଁ ଯାହା କହୁଛି ତାଙ୍କୁ ବାଧୁଛି। ମୁଁ ତାଙ୍କୁ ଚିହ୍ନିନାହିଁ, ସେ ମୋତେ ଧକ୍କା ମାରିବା ପରେ ମୁଁ ଜାଣିଲି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।