ସମ୍ବଲପୁର: ବାବୁଙ୍କ ଝିଅର ଚପଲ ପାଇଁ ୩ ରାଜ୍ୟରେ ତନାଘନା

ଓଏଲ୍ ବ୍ୟୁରୋ: ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ଜଣେ ବଡ଼ ବାବୁଙ୍କ ଝିଅର ଚପଲ ହଜିଯାଇଥିଲା। ଆଉ ସେ ହଜିଯାଇଥିବା ଚପଲକୁ ଖୋଜିବା ପାଇଁ ମାସେ କାଳ ଲାଗିଥିଲେ ୩ଟି ସଂସ୍ଥା। ସମ୍ବଲପୁରରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସବୁଆଡ଼େ ଛାଣି ପକାଇଥିଲେ। ଶେଷରେ ୧୦ ହଜାର ଟଙ୍କିଆ ଚପଲ ହଳକ ମିଳିଥିଲା। ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠୁ ବଡ଼କଥା ହେଲା ହି ଘଟଣାର ଅଭିଯୋଗକାରୀ ହେଉଛନ୍ତି ଖୋଦ୍ ସମ୍ବଲପୁର ମଣ୍ଡଳ ରେଳ ଅଧିକାରୀ ବିନୀତ୍ ସିଂହ।
ସୂଚନା ମୁତାବିକ, ସମ୍ବଲପୁର ମଣ୍ଡଳ ରେଳ ଅଧିକାରୀ ବିନୀତ୍ ସିଂହଙ୍କ ୨୦ ବର୍ଷୀୟା ଝିଅ ଲକ୍ଷ୍ନୌ ମେଲ୍ର ଏସି ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିବାବେଳେ ସେଠାରୁ ତାଙ୍କର ୧୦ ହଜାର ଟଙ୍କା ମୂଲ୍ୟର ନୂଆ ଜୋତା ହଳକ ଚୋରି ହୋଇ ଯାଇଥିଲା। ଏନେଇ ଜାନୁଆରୀ ୫ ତାରିଖରେ ସମ୍ବଲପୁର ଆର୍ପିଏଫ୍ ଥାନାରେ ଅଭିଯୋଗ କରିଥିଲେ ଶ୍ରୀ ସିଂହ।
ଏହାପରେ ବରିଷ୍ଠ ରେଳ ଅଧିକାରୀଙ୍କ ଅଭିଯୋଗ ପାଇବା ପରେ ଆର୍ପିଏଫ୍, ଜିଆର୍ପି ଓ ଆଇଆର୍ସିଟିସି ଭଳି ୩ଟି ସଂସ୍ଥା ଜୋତା ଖୋଜିବାରେ ଲାଗି ପଡ଼ିଥିଲେ। ସମ୍ବଲପୁରରୁ ନେଇ ଉତ୍ତର ପ୍ରଦେଶର ବରେଲି ଓ ଦିଲ୍ଲୀ ପର୍ଯ୍ୟନ୍ତ ଖୋଜାଖୋଜି ଚାଲିଥିଲା। ଡିଆର୍ଏମ୍ଙ୍କ ଝିଅଙ୍କ ସହଯାତ୍ରୀଙ୍କ ଠିକଣା ଖୋଜାଯାଇଥିଲା। ପୁଲିସ୍କୁ ଆଇଆର୍ସିଟିସି ଏହା ପ୍ରଦାନ କରିଥିଲା। ସହଯାତ୍ରୀଙ୍କ ମଧ୍ୟରେ ଦିଲ୍ଲୀର ଜଣେ ମହିଳା ଡାକ୍ତର ଥିଲେ। ପୁଲିସ୍ ତାଙ୍କ ପାଖରେ ପହଞ୍ଚିବା ପରେ ତାଙ୍କଠାରୁ ଜୋତାହଳକ ମିଳିଥିଲା।