ମହଙ୍ଗା ପଡ଼ିଲା ପଚା ଫଳ ବିକ୍ରି, ଗିରଫ ହେଲେ ୪ ଅଭିଯୁକ୍ତ
ମହିଳାଙ୍କୁ ପଚା ଫଳ ବିକିବା ଦୋକାନୀଙ୍କୁ ମହଙ୍ଗା ପଡ଼ିଲା

ଓଏଲ୍ ବ୍ୟୁରୋ : ସାଧାରଣତଃ ସମସ୍ତେ ସତେଜ ଫଳ ଖାଇବାକୁ ପସନ୍ଦ କରନ୍ତି। ଶରୀରକୁ ସୁସ୍ଥ ଏବଂ ସବଳ କରିବାରେ ମଣିଷ ଜୀବନରେ ସତେଜ ଫଳର ବହୁତ ଆବଶ୍ୟକ ରହିଛି। ତେବେ ଜଣେ ମହିଳା ଫଳ କିଣିବାକୁ ଦୋକାନକୁ ଯାଇଥିଲେ। ଦୋକାନୀ ଜଣକ ତାଙ୍କୁ ଭଲ ଫଳ ଯାଗାରେ ପଚା ଫଳ ଦେଇ ଦେଇଥିଲେ। ଅତି ଚତୁରତାର ସହିତ ପଚା ଫଳ ବିକିଥିବା ଦୋକାନୀ ଜଣଙ୍କ ଭାବିଥିଲେ ମହିଳା ଜଣଙ୍କ ଏହି ବିଷୟରେ କିଛି ଜାଣି ପାରିବେନି। ମହିଳା ଜଣଙ୍କ ଥାନାରେ ଦ୍ୱାରସ୍ଥ ହେବା ପରେ ବନ୍ଧା ହେଲେ ଦୋକାନୀ। ଏପରି ଘଟଣା ଘଟିଛି କଟକ ବାଦାମବାଡ଼ି ଅଞ୍ଚଳରେ। ମହିଳାଙ୍କୁ ପଚା ଫଳ ବିକିବା ଦୋକାନୀଙ୍କୁ ମହଙ୍ଗା ପଡ଼ିଲା।
ସୂଚନା ଅନୁସାରେ, କଟକ ବାଦାମବାଡ଼ି ଅଞ୍ଚଳରେ ଭଲ ଫଳ ସ୍ଥାନରେ ଦୋକାନୀମାନେ ପଚା ଫଳ ବିକ୍ରି କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ଅନେକ ଥର ସାମ୍ନାକୁ ଆସିଛି। ଗତକାଲି ଘଟଣାର ପୁନରାବୃତି ହୋଇଛି। କଟକ ଅଞ୍ଚଳର ଜଣେ ମହିଳା ବାଦାମବାଡ଼ିରୁ ଫଳ କିଣି ଘରକୁ ନେଇଥିଲେ। ଘରେ ପହଞ୍ଚିଲା ବେଳକୁ ଫଳ ଗୁଡ଼ିକ ପଚା ବାହାରିଥିଲା। ମହିଳା ଜଣଙ୍କ ଏହି ଫଳ ନେଇ ଦୋକାନୀ ପାଖକୁ ଆସିଥିଲେ। କାହିଁକି ପଚା ଫଳ ଦେଇଛ ବୋଲି ପ୍ରଶ୍ନ କରିବାରୁ ଦୋକାନୀ ଓ ମହିଳାଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମହିଳା ଜଣଙ୍କ ଫଳ ଧରି ବାଦାମବାଡ଼ି ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଫଳ ଦୋକାନୀ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ୪ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି।