‘ଅରୂପ ପଟ୍ଟନାୟକ ଯେଉଁଠିକି କହିବେ ସେଠାକୁ ଯିବି, ସେ ମୋତେ ମାରିପାରିବେ’
ମୁଁ ଜଣେ ସାଧାରଣ ମଣିଷ, ସେ ଚାହିଁଲେ ମାରିପାରିବେ
ଓଏଲ୍ ବ୍ୟୁରୋ : ପୁଣିଥରେ ଚର୍ଚ୍ଚାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମ୍ବଲପୁରରେ ପ୍ରତିବାଦ କରୁଥିଲା ବିଜେପି। ପ୍ରତିବାଦ ସମୟରେ ପ୍ରଦର୍ଶନ କରିଥିବା ଆଚରଣ ପାଇଁ ଚର୍ଚ୍ଚାକୁ ଆସିଥିଲେ ଜୟନାରାୟଣ ମିଶ୍ର। ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରତିବାଦ କରିବା ସମୟରେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୁଲିସ। ପୁଲିସ ଓ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ଏହି ପ୍ରସଙ୍ଗକୁ ନେଇ ଜୋର ଚର୍ଚ୍ଚା ହେଉଥିବାବେଳେ ନିଜର ମତ ରଖିଛନ୍ତି ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଓଡ଼ିଶା ପୁଲିସ ମୋତେ କ୍ଷମା ମାଗିବ ନା ମୁଁ ତାଙ୍କୁ କ୍ଷମା ମାଗିବି। ରାଜ୍ୟ ପୁଲିସ ବିଭାଗକୁ ସବୁ ଏଠି ମାଫ୍।
ଗତକାଲି ଅରୁପ ପଟ୍ଟନାୟକ ପରୋକ୍ଷ ଭାବରେ କିଛି ମନ୍ତବ୍ୟ ରଖି ଜୟନାରାୟଣଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ କହିଥିଲେ, ପୁଲିସକୁ ଧସ୍ତାଧସ୍ତି କରିଥିବା ଲୋକ, ଆମ ଭଳିଆ ଲୋକଙ୍କ ସାମ୍ନାରେ ପଡ଼ିନାହାନ୍ତି ନଚେତ ତାଙ୍କ ଅବସ୍ଥା କଣ ହୋଇଥାନ୍ତା। ଅରୂପ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ଜୟନାରାୟଣ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ମାରିପାରୁଛନ୍ତି, ମୋତେ ବି ମାରିପାରିବେ। ମୁଁ ଜଣେ ସାଧାରଣ ମଣିଷ, ସେ ଚାହିଁଲେ ମାରିପାରିବେ। ସେ ଯେଉଁଠିକି କହିବେ ସେଠାକୁ ଯିବି, ମୋତେ ମାରିପାରିବେ। ରାଜ୍ୟରେ ଜଣେ ଏପରି କହିପାରୁଛି, ଏଥିରୁ ଶାସନ ବ୍ୟବସ୍ଥା ଜଣାପଡୁଛି। ବାଂଲାଦେଶୀ ବିକ୍ଷୋଭ ବେଳେ ଅରୂପ ବାବୁ କମିଶନର ଥିଲେ। ସେତେବେଳେ ତାଙ୍କ ଭୂମିକା କ’ଣ ଥିଲା ସମସ୍ତେ ଜାଣିଛନ୍ତି। ସେ କେଉଁଭଳି ଭାବେ ଆଇପିଏସ ପାଇଥିଲେ, ଲୋକ ଜାଣିବା ଦରକାର।
ପୁଲିସ ଓ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ବିଜୁ ମହିଳା ଜନତା ଦଳ ଧାରଣା ଦେଇଥିଲା। ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ବହିଷ୍କାର କରିବା ପାଇଁ ଦାବିରେ ଧାରଣା ଦେଇଥିଲେ ବିଜୁ ମହିଳା ଜନତା ଦଳ। ସୂଚନା ଅନୁସାରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମ୍ବଲପୁରରେ ପ୍ରତିବାଦ କରୁଥିଲା ବିଜେପି। ଆନ୍ଦୋଳନକାରୀଙ୍କୁ ପୁଲିସ ରୋକିବା ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଲିସ କର୍ମଚାରୀଙ୍କୁ ଧକ୍କା ମାରିଥିବା ଦେଖିବାକୁ ମିଳିଥିଲା। ଶହ ଶହ ବିଜେପି କର୍ମୀଙ୍କ ପ୍ରତିବାଦ ଭିତରେ ମହିଳା ପୁଲିସ ଅଧିକାରୀଙ୍କୁ ଧକ୍କା ମାରିଥିବା ଜୟନାରାୟଣ ଚର୍ଚ୍ଚା ଜୋର ଧରିଥିଲା।
ଜୟନାରାୟରଣ ପୁଲିସ ଅଧିକାରୀଙ୍କୁ ଧକ୍କା ମାରିବା କଥା ଚର୍ଚ୍ଚା ହେଉଥିବାବେଳେ ସେ କହିଥିଲେ, ଆମେ ଆଇନ ଅମାନ୍ୟ ଆନ୍ଦୋଳନ କରୁଥିଲୁ। ଆଇନ ଅମାନ୍ୟ ଆନ୍ଦୋଳନରେ ସାଧାରଣ ଠେଲା ପେଲା ଚାଲେ। କିନ୍ତୁ ଧନୁପାଲ୍ଲୀ ଆଇଆଇସି ଜାଣିକରି ଆଗ ମୋତେ ଧକ୍କା ମାରିଲେ। ସେ ଆଇଆଇସି ଜଣକ ବହୁତ ଦୁର୍ନୀତି କାମରେ ସମ୍ପୃକ୍ତ। ତାଙ୍କୁ ପ୍ରଶ୍ନ କରିବାରୁ ସେ ଧକ୍କା ମାରୁଥିଲେ ବୋଲି ଜୟନାରାୟଣ ମିଶ୍ର କହିଥିଲେ।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆନ୍ଦୋଳନ କରୁଥିବା ସମୟରେ ଯଦି ପୁଳିସ ବିରୋଧୀ ଦଳ ନେତାଙ୍କୁ ଧକ୍କା ମାରୁଛି। ତାହା ହେଲେ ପୁଲିସର ଆଚରଣ କିପରି ହୋଇଥାଇପାରେ ତାହା ଅନୁମାନ କରନ୍ତୁ ବୋଲି ଜୟନାରାୟଣ ମିଶ୍ର କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ, ପ୍ରଥମେ ପୁଲିସ ଧକ୍କା ମାରିବା ପରେ ମୁଁ ତାଙ୍କୁ କହିଥିଲି ତୁମେ ଦୁର୍ନୀତିଗ୍ରସ୍ତ ଲୋକ। ତାହା ପରେ ପୁଣିଥରେ ଉତ୍ତେଜିତ ହୋଇ ସେ ମୋତେ ଧକ୍କା ମାରିଲେ। ଧନୁପାଲ୍ଲୀ ଥାନା ଏବେ ଡକାୟତି ସେଣ୍ଟରରେ ପରିଣତ ହୋଇଛି। ଓଡ଼ିଶା ପୁଲିସ ଆଇନ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରି ସାରିଛି। ମୁଁ ଯାହା କହୁଛି ତାଙ୍କୁ ବାଧୁଛି। ମୁଁ ତାଙ୍କୁ ଚିହ୍ନିନାହିଁ, ସେ ମୋତେ ଧକ୍କା ମାରିବା ପରେ ମୁଁ ଜାଣିଲି ବୋଲି କହିଥିଲେ ଜୟନାରାୟଣ ମିଶ୍ର।