ରିଲ୍ସ ପ୍ରେମରେ ଛାତ୍ରଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ
ରିଲ୍ ବନେଇବା ପାଇଁ ସ୍କୁଲ ଛାତ ଉପରେ ଚଢ଼ି ହତ୍ତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ୱାର୍ଟର୍ସର ଆଜବେଷ୍ଟ ଉପରକୁ ଡିଆଁ ମାରିଥିଲେ

ଓଏଲ୍ ବ୍ୟୁରୋ : ସୋସିଆଲ ମିଡିଆ ପ୍ରେମରେ ମାତିଛନ୍ତି ଆଜିର ଯୁବପିଢ଼ି। ବିଭିନ୍ନ ଢଙ୍ଗରେ ଭିଡିଓ କରିବା ପାଇଁ ନୂତନ ଉପାୟ ଅବଲମ୍ବନ କରୁଛନ୍ତି। ହେଲେ ଭିଡିଓ କରିବା ଆଳରେ ନିଜକୁ ଅସୁବିଧାର ସମ୍ମୁଖୀନ କରୁଥିବା ଅନେକ ଖବର ସାମ୍ନାକୁ ଆସିଛି। ଯୁବପିଢ଼ିଙ୍କ ରିଲ୍ସ ଭିଡିଓ ଦେଖି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଅନେକ ବିପଦପୂର୍ଣ୍ଣ ଉପାୟ କରୁଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଥିବା ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ସେଠାକାର କିଛି ଛାତ୍ର କରିଥିବା ଭିଡିଓ ଭାଇରଲ ହେବା ପରେ ଚର୍ଚା ଜୋର ଧରିଛି।
ସୂଚନା ଅନୁସାରେ, ଗତ ୧୪ ତାରିଖ ଦିନ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ହେବାର ଥିଲା। କାର୍ଯ୍ୟକ୍ରମ ପାଇଁ ସ୍କୁଲକୁ ଶୀଘ୍ର ଛୁଟି କରାଯାଇଥିଲା। ସ୍କୁଲ ଛୁଟି ପରେ ପିଲାମାନେ ଘରକୁ ପଳାଇଯାଇଥିବା ବେଳେ କିଛି ପିଲା ଘରକୁ ନ ଯାଇଥିଲେ। ରିଲ୍ ବନେଇବା ପାଇଁ ସ୍କୁଲ ଛାତ ଉପରେ ଚଢ଼ି ହତ୍ତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ୱାର୍ଟର୍ସର ଆଜବେଷ୍ଟ ଉପରକୁ ଡିଆଁ ମାରିଥିଲେ। କିଛି ଛାତ୍ର ଡିଆଁଡେଇଁ କରୁଥିବା ବେଳେ ଆଉ କିଛି ଛାତ୍ର ଭିଡିଓ କରୁଥିଲେ।
ସ୍କୁଲ ଛାତ ୧୦ ଫୁଟ୍ ଦୂରତାରେ ଥିବା ଆଜବେଷ୍ଟକୁ ଡେଇଁଲା ବେଳେ ଜଣେ ପିଲା ତଳେ ଖସିପଡ଼ିଥିଲା। ଭାଗ୍ୟବଶତ ପିଲାଟିର କିଛି ହୋଇନଥିଲା। ପରେ ପିଲାମାନେ ଭିଡିଓଟିକୁ ଫେସବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିଲେ। ଉକ୍ତ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓଟିକୁ ସ୍କୁଲର ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ନଜରକୁ ଆସିଥିଲା। ଉକ୍ତ ଭିଡିଓ କରିଥିବା ୭ ଜଣ ଛାତ୍ରଙ୍କୁ ବିଦ୍ୟାଳୟକୁ ପ୍ରଧାନଶିକ୍ଷକ ସୁଶଂକର ମିସ୍ତ୍ରୀ ଚିହ୍ନଟ କରି ଟିସି ଦେଇ ବାହାର କରିଥିଲେ। ପରେ ଛାତ୍ରଙ୍କ ଅଭିଭାବକମାନେ ଭୁଲ ସ୍ୱୀକାର କରିବା ସହ ପରୀକ୍ଷା ପର୍ଯ୍ୟନ୍ତ ପିଲାଙ୍କୁ ବାହାର ନକରିବାକୁ ଅନୁରୋଧ କରିଥିଲେ। ପରେ ଅଭିଭାବକ ମାନଙ୍କୁ ପିଲାଙ୍କୁ ତାଗିଦ କରିବା ପାଇଁ କୁହାଯାଇଥିବା ସୂଚନା ମିଳିଛି।