ସର୍ବଦଳୀୟ ବୈଠକ ବର୍ଜନ କଲା ବିଜେପି
ସମସ୍ତେ ଗୃହକୁ ଆସି ଭାଗ ନିଅନ୍ତୁ ଦାବି କଲେ ବିରୋଧୀ ଦଳ ନେତା

ଓଏଲ୍ ବ୍ୟୁରୋ : ରାଜ୍ୟ ବଜେଟ୍ ଅଧିବେଶନ ପୂର୍ବରୁ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ବିଧାନସଭା ବଜେଟ ଅଧିବେଶନ ପାଇଁ ବାଚସ୍ପତି ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଯୋଗ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ବିଜେପି ତରଫରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ଉପସ୍ଥିତ ରହିଛନ୍ତି। ସର୍ବଦଳୀୟ ବୈଠକରେ ଭର୍ଚୁଆଲ ମୋଡରେ ବିଧାୟକଙ୍କ ଅଂଶଗ୍ରହଣ ପ୍ରସ୍ତାବକୁ ବିରୋଧ କରି ବୈଠକ ବର୍ଜନ କଲା ବିଜେପି। ସମସ୍ତେ ଗୃହକୁ ଆସି ଭାଗ ନିଅନ୍ତୁ ଦାବି କଲେ ବିରୋଧୀ ଦଳ ନେତା।
ଅନ୍ୟପକ୍ଷେ, ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜିପି ସୁନୀଲ ବଂଶଲ। ବିଧାନସଭା ଅଧିବେଶନ ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ୨ ଜଣ ଡିସିପିଙ୍କ ନେତୃତ୍ୱରେ ୧୦ ଅତିରିକ୍ତ ଡିସିପି, ୧୧ ଏସିପି, ୧୩ ଜଣ ଆଇଆଇସି, ୮୫ ଜଣ ଅଫିସର ଓ ୨୦୦ ଜଣ କନେଷ୍ଟବଳ ମୁତୟନ ହେବେ। ତେବେ ବିକ୍ଷୋଭ ଓ ଧାରଣାସ୍ଥଳ ଉପରେ ପୋଲିସର କଡା ନଜର ରହିବ ବୋଲି କହିଛନ୍ତି ପୁଲିସ ଡିଜି।
ସୂଚନା ଅନୁସାରେ, ଦୁଇଟି ପର୍ଯ୍ୟାୟରେ ୨୭ ଦିନ ଧରି ଚାଲିବାକୁ ଥିବା ଏହି ବଜେଟ ଅଧିବେଶନରେ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ଗୃହ କାର୍ଯ୍ୟରେ ଯେପିରି ସହଯୋଗ କରିବେ ସେନେଇ ବାଚସ୍ପତିଙ୍କ ସହ ଆଲୋଚନା। ଏହାସହ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପାଇଁ ସପ୍ତାହରେ କେତୋଟି ଲେଖାଏଁ ମୁଲତବୀ ପ୍ରସ୍ତାବ ଭାଗ ପଡ଼ିବ ସେ ନେଇ ବୈଠକରେ ସ୍ଥିର କରାଯିବ।
ବିଧାନସଭାର ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଆସନ୍ତକାଲିଠୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓ ୨ୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ ବୋଲି ସୂଚନା ମିଳିଛି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଫେବ୍ରୁଆରୀ ୨୪ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩- ୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ତେବେ ଗୃହ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହିତ ଜାରି ରହିବା ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି।