ଅଗ୍ନିବୀର ନିଯୁକ୍ତି ଯୋଜନାରେ ବଡ଼ ପରିବର୍ତ୍ତନ
ସେନାରେ ସାମିଲ ହେବା ପାଇଁ ପାର୍ଥୀଙ୍କୁ ୩ଟି ପର୍ଯ୍ୟାୟରେ ପରୀକ୍ଷା ଦେବାକୁ ପଡ଼ିବ।

ଓଏଲ୍ ବ୍ୟୁରୋ : ଅଗ୍ନିପଥ ଯୋଜନାରେ ବଡ ପରିବର୍ତନ କରାଯାଇଛି। ଅଗ୍ନିବୀର ନିଯୁକ୍ତି ପାଇଁ ଆଇଟିଆଇ ଓ ପଲି ଟେକନିକ୍ ପାସ କରିଥିବା ପିଲା ମଧ୍ୟ ଆବେଦନ କରିପାରିବେ। ସେନା ତରଫରୁ ଅଗ୍ନିପଥ ଭର୍ତ୍ତି ପ୍ରକ୍ରିୟାରେ ଭାଗନେବା ପାଇଁ ଯୋଗ୍ୟତା ନିୟମକୁ ବଢାଇ ଦେଇଛନ୍ତି।
ପ୍ରି ସ୍କିଲ୍ଡ ଯୁବକମାନେ ଏବେ ଏହି ପଦବୀ ପାଇଁ ମଧ୍ୟ ଆବେଦନ କରିପାରିବେ। ଏହି କ୍ରମରେ ଆଇଟିଆଇ ଓ ପଲିଟେକନିକ୍ ପାସ କରିଥିବା ପିଲାମାନେ ଟେକ୍ନିକାଲ ବ୍ରାଞ୍ଚ ପାଇଁ ଆବେଦନ କରିପାରିବେ। ଏମାନଙ୍କ ନିଯୁକ୍ତି ପରେ ଅନ୍ୟମାନଙ୍କ ଠାରୁ ଏମାନେ କମ୍ ସମୟ ଟ୍ରେନିଂ ନେବେ। ଏଭଳି ପରିବର୍ତନ ପରେ ଅଧିକରୁ ଅଧିକ ଏହି ପଦରେ ନିଯୁକ୍ତି ପାଇଁ ଆବେଦନ କରିବେ ବୋଲି ଆଶା କରାଯାଉଛି।
ପୂର୍ବରୁ ଅଗ୍ନିବୀର ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭାରତୀୟ ସେନା ପକ୍ଷରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଘୋଷଣା କରାଯାଇଥିଲା। ସେନାରେ ସାମିଲ ହେବା ପାଇଁ ପାର୍ଥୀଙ୍କୁ ୩ଟି ପର୍ଯ୍ୟାୟରେ ପରୀକ୍ଷା ଦେବାକୁ ପଡ଼ିବ।
ଯେଉଁ ପ୍ରାର୍ଥୀମାନେ ଅଗ୍ନିବୀର ଅଧୀନରେ ସେନାରେ ଯୋଗଦେବାକୁ ଚାହୁଁଛନ୍ତି, ସେମାନଙ୍କୁ ପ୍ରଥମେ ଅନ୍ଲାଇନ୍ରେ କମନ୍ ଏଣ୍ଟ୍ରାସ୍ ପରିକ୍ଷା ଦେବାକୁ ପଡିବ। ଏହା ପରେ ଶାରୀରିକ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ହେବ। ଅଗ୍ନିବୀର ନିଯୁକ୍ତି ପାଇଁ ଫେବୃଆରୀ ମଧ୍ୟଭାଗରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଥିଲା। ଫେବୃଆରୀ ୧୬ ତାରିଖରୁ ଅଗ୍ନିପଥ ଯୋଜନା କ୍ରମରେ ଭାରତୀୟ ସେନାରେ ଅଗ୍ନିବୀର ନିଯୁକ୍ତି ନେଇ ପଞ୍ଜିକରଣ ଆରମ୍ଭ ହୋଇଛି । ଅନଲାଇନ ଆବେଦନ ପାଇଁ ମାର୍ଚ୍ଚ ୧୫ ତାରିଖକୁ ଶେଷ ଆବେଦନ ତାରିଖ ବୋଲି ରଖାଯାଇଛି । ଏହାସହ ଚୟନ ପରୀକ୍ଷା ଏପ୍ରିଲ ୧୭ ତାରିଖରେ ଆୟୋଜିତ କରାଯିବ।
ପୂର୍ବରୁ, ଯେଉଁଠାରେ ଯୁବକମାନଙ୍କୁ ନିଯୁକ୍ତି ପାଇବା ପାଇଁ ପ୍ରଥମେ ଫିଜିକାଲ ଟେଷ୍ଟ ଦେବାକୁ ପଡୁଥିଲା, ଏହାପରେ ଏକ ଲିଖିତ ପରୀକ୍ଷା ଏବଂ ମେଡିକାଲ ଟେଷ୍ଟ ହୋଇଥିଲା। ସୂତ୍ରରୁ ଜଣାପଡ଼ିଛି ଯେ, ଇଣ୍ଡିଆନ ଆର୍ମିରେ ସାମିଲ ହେବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପ୍ରଥମେ ନାମାଙ୍କନ କେନ୍ଦ୍ରରେ ଏକ ଅନଲାଇନ୍ କମନ ଏଣ୍ଟ୍ରାନ୍ସ ପରୀକ୍ଷା (ସିଇଇ) ଦେବାକୁ ପଡ଼ିବ।
ବିଶେଷ ସୂତ୍ରରୁ ଜଣା ପଡିଛି ଯେ, ଏପ୍ରିଲରେ ପ୍ରଥମ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ) କରାଯିବ। ଦେଶର ପ୍ରାୟ ୨୦୦ଟି ସ୍ଥାନରେ ସାଧାରଣ ପ୍ରବେଶିକା ପରୀକ୍ଷା କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଅନ୍ଲାଇନ୍ରେ କମନ୍ ଏଣ୍ଟ୍ରାସ୍ ପରିକ୍ଷା ଅଗ୍ନିବୀର ଚୟନ ସମୟରେ ଜ୍ଞାନଗତ ଦିଗ ଉପରେ ଅଧିକ ଧ୍ୟାନ ନିଶ୍ଚିତ କରିବ। ଏହା ଦ୍ବାରା ନିଯୁକ୍ତି ରାଲିରେ ଦେଖାଯାଇଥିବା ପ୍ରବଳ ଭିଡକୁ ମଧ୍ୟ ହ୍ରାସ କରାଯାଇପାରିବ।
ଯେଉଁମାନେ ଅନ୍ଲାଇନ୍ରେ କମନ୍ ଏଣ୍ଟ୍ରାସ୍ ପରିକ୍ଷା ପାସ୍ ହେବେ ସେମାନେ ହିଁ ଅଗ୍ନିବୀର ନିଯୁକ୍ତି ରାଲିରେ ଭାଗ ନେଇପାରିବେ ବୋଲି ଜଣା ପଡିଛି। ମିଳିଥିବା ସୂଚନା ଅନୁସାରେ ଭାରତୀୟ ସ୍ଥଳସେନାର ଅଗ୍ନିବୀର ଭାବେ ସାମିଲ ହେବାକୁ ଚାହୁଁଥିବା ଯୁବକମାନେ ସର୍ବନିମ୍ନ ୮ମ ରୁ ୧୦ ଶ୍ରେଣୀ ପାସ କରିଥିବା ଆବଶ୍ୟକ। ଆବେଦନକାରୀ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୭.୫ ବର୍ଷ ଏବଂ ସର୍ବାଧିକ ୨୩ ବର୍ଷ ହେବା ଉଚିତ୍।