“ଆଲ୍ଲା ଶବ୍ଦ ସଂସ୍କୃତରୁ ଆସିଛି”

ଓଏଲ୍ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସେ ହିନ୍ଦୁ ରାଷ୍ଟ୍ରକୁ ନେଇ ଏଭଳି କିଛି ବୟାନ ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କହିଛନ୍ତି, ଯେମିତି ହେଲେ ବି ଭାରତ ହିନ୍ଦୁ ରାଷ୍ଟ୍ରରେ ପରିଣତ ହେବ। ସେ ସମ୍ବିଧାନ ବଦଳୁ କି ଶାସନ ବ୍ୟବସ୍ଥା ବଦଳୁ, କିନ୍ତୁ ଭାରତ ହିନ୍ଦୁ ରାଷ୍ଟ୍ର ହେବାର ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ।
ସେ ଆହୁରି କହିଛନ୍ତି, ଯଦି ଭାରତ ନିଜକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କରେ, ତେବେ ଏହାର କିଛି ବର୍ଷ ଭିତରେ ବିଶ୍ୱର ଆଉ ୧୫ଟି ଦେଶ ମଧ୍ୟ ନିଜକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିଦେବେ। ୨୦୪ ଦେଶରୁ ୧୫ଟି ଦେଶ ଏମିତି ଅଛନ୍ତି, ଯିଏକି ଭାରତ ହିନ୍ଦୁ ରାଷ୍ଟ୍ର ଘୋଷଣା ହେବାକୁ ଅପେକ୍ଷା କରିଛନ୍ତି। ତେବେ ଏସିଆ ମହାଦ୍ୱୀପ ହିନ୍ଦୁ ମହାଦ୍ୱୀପ ଭାବେ ସାମ୍ନାକୁ ଆସିିବ ବୋଲି ସେ କହିଛନ୍ତି। ଆମେରିକା ସଂସଦରେ ବି ହିନ୍ଦୁ ରାଷ୍ଟ୍ର ମୁଦ୍ଦା ଉଠିସାରିଛି। ଆମ ସମସ୍ତଙ୍କର ପୂର୍ବଜ ହିନ୍ଦୁ ଥିଲେ, ଏବଂ ଭାରତ ହିନ୍ଦୁ ରାଷ୍ଟ୍ର ହେବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।
ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଯଦି ନିଜକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କରେ, ତେବେ ମରିଶସ୍ ମଧ୍ୟ ନିଜକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କରିବ। ସେହିପରି ମୌଲାନା ମଦନୀଙ୍କ ଓଁ ହିଁ ଆଲ୍ଲା ବୟାନକୁ ନେଇ ମଧ୍ୟ ପୁରୀ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ କହିବା କଥା, ଆଲ୍ଲା ଶବ୍ଦ ହେଉଛି ମାତୃବାଚକ ଓ ଶକ୍ତିବାଚକ ଶବ୍ଦ। ଆଲ୍ଲା ଶବ୍ଦ ସଂସ୍କୃତରୁ ଆସିଛି। ଓଁ ହେଉଛି ପରମାତ୍ମାଙ୍କ ନାମ।