‘ବିଧାନସଭା ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ଫଟୋ ଭାଇରାଲ କାହିଁକି ହେଲା’
ଏହାକୁ କିଏ ଭାଇରାଲ କଲା ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି।
ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୁକ୍ତ ଗୋପାଳ ତାଙ୍କୁ ହତ୍ୟା କରିଥିବାବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ଗୋପାଳକୁ ଗିରଫ କରାଯାଇଛି। ଜଣେ ପୁଲିସ କର୍ମଚାରୀ ନବ ଦାସଙ୍କୁ ମାରିବା ପରେ ଚର୍ଚ୍ଚା ଜୋର ଧରିଛି। ନବ ଦାସଙ୍କୁ ହତ୍ୟା ନେଇ ଗୋପାଳର ଫଟୋ ଭାଇରାଲ ପ୍ରସଙ୍ଗରେ କଂଗ୍ରେସ ନେତା ଜୟଦେବ ଜେନା ନିଜର ମତ ପ୍ରକାଶ କରିଛନ୍ତି। ଯଦି ଏହି ଫଟୋ ଥିଲା, ତେବେ ୨୭ ଦିନ ହେଲା କୁଆଡେ ଥିଲା ଏବଂ ବିଧାନସଭା ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ଭାଇରାଲ କାହିଁକି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାକୁ କିଏ ଭାଇରାଲ କଲା ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି।
ଅନ୍ୟପକ୍ଷେ, ଜଣେ ପୁଲିସ କର୍ମଚାରୀ ନବ ଦାସଙ୍କୁ ମାରିବା ପରେ ଚର୍ଚ୍ଚା ଜୋର ଧରିଥିବାବେଳେ ଗୋପାଳ କିପରି ମାରିଥିଲା ତାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। ତଥାପି ଅଭିଯୁକ୍ତ ଗୋପାଳ ନବ ଦାସଙ୍କୁ ମାରିଥିବା ସନ୍ଦେହ ଘେରରେ ଥିଲା। ବର୍ତ୍ତମାନ ଆଉ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ଅତିନିକଟରୁ ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡ଼ା ହୋଇଥିବା ଜଣାପଡୁଛି। ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି କରୁଥିବା ଭଳି ଜଣାପଡୁଛି।
ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ସୁଦ୍ଧା ଗୋପାଳ ନବ ଦାସଙ୍କୁ ହତ୍ୟା କରିବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲ ସ୍ଥାନାନ୍ତର କରାଯାଇଛି।