‘ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଆମେ ରାଜନୀତି କରୁନାହୁଁ’
ପ୍ରକୃତ ହତ୍ୟାକାରୀକୁ ଖୋଜିବାକୁ ଦୀପାଳି ଯଦି ନ ଚାହିଁବେ ତେବେ କିଛି କହିବାର ନାହିଁ।

ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୁକ୍ତ ଗୋପାଳ ତାଙ୍କୁ ହତ୍ୟା କରିଥିବାବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ଗୋପାଳକୁ ଗିରଫ କରାଯାଇଛି। ହତ୍ୟାକାଣ୍ଡକୁ ନେଇ ଚର୍ଚା ଜୋର ଧରିଥିବାବେଳେ ନବ ଦାସଙ୍କ ଝିଅ ଦୀପାଳି ଦାସ ନିଜର ମତ ରଖିଥିଲେ। ଦୀପାଳିଙ୍କ ମନ୍ତବ୍ୟ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଆମେ ରାଜନୀତି କରୁନାହୁଁ। ପ୍ରକୃତ ହତ୍ୟାକାରୀକୁ ଖୋଜିବାକୁ ଦୀପାଳି ଯଦି ନ ଚାହିଁବେ ତେବେ କିଛି କହିବାର ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, କ୍ରାଇମବ୍ରାଞ୍ଚର ରେକର୍ଡ ଭଲ ନାହିଁ ଏବଂ ତଦନ୍ତ ଗୋପାଳ ଠାରେ ଅଟକିଛି। ଅନ୍ୟ କାହାକୁ ତଦନ୍ତକୁ ଅଣାଯାଉନି। ପ୍ରକୃତ ହତ୍ୟାକାରୀ ବିଷୟରେ ଜାଣିବାକୁ ଓଡ଼ିଶାବାସୀ ଡିମାଣ୍ଡ କରୁଛନ୍ତି। ସିବିଆଇ ତଦନ୍ତ ଆମର ଦାବି ବୋଲି ମୋହନ ମଝି କହିଛନ୍ତି।
ସୂଚନା ଅନୁସାରେ, ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଝିଅ ଦୀପାଳି ଦାସ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି, ଆମ ପରିବାରକୁ ନ୍ୟାୟ ମିଳିବ। ବାପାଙ୍କ ଗଲାପରେ ମୁଖ୍ୟମନ୍ତ୍ରୀ ପିତା ଭାବେ ଆମ ପରିବାର ସହ ଠିଆ ହୋଇଛନ୍ତି। ଜଣେ ଜଜଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ବାପାଙ୍କ ହତ୍ୟାର ତଦନ୍ତ କରୁଛି। କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ନଆସିବା ଯାଏ କିଛି କହିପାରିବୁନି ନାହିଁ। କ୍ରାଇମବ୍ରାଞ୍ଚ ଦ୍ୱାରା ହେଉଥିବା ତଦନ୍ତର ରିପୋର୍ଟ ଆସିଲା ପରେ ନିଶ୍ଚିତ କିଛି କହିବୁ। ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ ନକରିବାକୁ ନବ ଦାସଙ୍କ ଝିଅ ଦୀପାଳି ଗଣମାଧ୍ୟମ ସାମ୍ନାରେ ଅନୁରୋଧ କରିଥିଲେ।
ଅନ୍ୟପକ୍ଷେ, ଜଣେ ପୁଲିସ କର୍ମଚାରୀ ନବ ଦାସଙ୍କୁ ମାରିବା ପରେ ଚର୍ଚ୍ଚା ଜୋର ଧରିଥିବାବେଳେ ଗୋପାଳ କିପରି ମାରିଥିଲା ତାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। ତଥାପି ଅଭିଯୁକ୍ତ ଗୋପାଳ ନବ ଦାସଙ୍କୁ ମାରିଥିବା ସନ୍ଦେହ ଘେରରେ ଥିଲା। ବର୍ତ୍ତମାନ ଆଉ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ଅତିନିକଟରୁ ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡ଼ା ହୋଇଥିବା ଜଣାପଡୁଛି। ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି କରୁଥିବା ଭଳି ଜଣାପଡୁଛି।
ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ସୁଦ୍ଧା ଗୋପାଳ ନବ ଦାସଙ୍କୁ ହତ୍ୟା କରିବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲ ସ୍ଥାନାନ୍ତର କରାଯାଇଛି।