ନବ ଦାସ ହତ୍ୟାକାଣ୍ଡ : ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚର ଆବେଦନ
ବର୍ତ୍ତମାନ ସୁଦ୍ଧା ଗୋପାଳ ନବ ଦାସଙ୍କୁ ହତ୍ୟା କରିବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲ ସ୍ଥାନାନ୍ତର କରାଯାଇଥିଲା।

ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ପାଖାପାଖି ଗୋଟେ ମାସେ ସାରିବାକୁ ବସିଲାଣି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ କ୍ରାଇମବ୍ରାଞ୍ଚ ଗିରଫ କରି ତଦନ୍ତ ଜାରି କରିଛି। ବର୍ତମାନ ସୁଦ୍ଧା ହତ୍ୟାକାଣ୍ଡର ସ୍ପଷ୍ଟ କାରଣ ସାମ୍ନାକୁ ଆସିପାରିନାହିଁ। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳର ମାନସିକ ସ୍ତିତି ଯାଞ୍ଚ କରିବା ପାଇଁ ବାଙ୍ଗାଲୋରର ଦି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲଥ ଆଣ୍ଡ ନ୍ୟୁରୋ ସାଇନ୍ସକୁ ନେଇ ପରୀକ୍ଷା କରିବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ। କୋର୍ଟ ଆବେଦନ ଖାରଜ କରି ଦେବା ପରେ ଆଜି ପୁଣି ଥରେ ଝାରସୁଗୁଡ଼ା ଜିଲ୍ଲା ଅଦାଲତରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ।
ପୂର୍ବରୁ, ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଏବଂ ନାର୍କୋ ଟେଷ୍ଟ ଗୁଜୁରାଟ ଗାନ୍ଧୀନଗରରେ ଶେଷ ହୋଇଥିଲା। ଏହି ଟେଷ୍ଟର ରିପୋର୍ଟ ଆସିବା ପରେ ହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଥିଲା। ତେବେ ଟେଷ୍ଟ ସରିବା ପରେ ଗୋପାଳକୁ ଗୁଜୁରାଟରୁ ଓଡିଶାକୁ ଅଣାଯାଇ କୋର୍ଟରେ ହାଜର କରିବା ପରେ ଜେଲକୁ ପଠାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଗୋପାଳ ନବ ଦାସଙ୍କୁ ହତ୍ୟା କରିବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲ ସ୍ଥାନାନ୍ତର କରାଯାଇଥିଲା।
ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।