ଅସହ୍ୟ ହେଲା ଆଇଆଇସିଙ୍କ ନିର୍ଯାତନା; ଇସ୍ତଫା ଆବେଦନ କଲେ ଏସ୍ଆଇ
ଆବେଦନକାରୀ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନାର ଏସ୍ଆଇ ରାଧାନାଥ ଦାସ

ଓଏଲ୍ ବ୍ୟୁରୋ : ଦିନକୁ ଦିନ ଅତ୍ୟାଚାର ଏବଂ ନିର୍ଯାତନା ବଢିଥିବା ଅନେକ ଅଭିଯୋଗ ସାମ୍ନାକୁ ଆସିଛି। ସାଧାରଣ ଜନତା ସବୁବେଳେ ନିର୍ଯାତନାର ଶିକାର ହେଉଥିବା ଜାଣିବାକୁ ମିଳିଥିଲା। ବର୍ତମାନ ଜଣେ ସରକାରୀ ବାବୁ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିବା ଚର୍ଚା ଜୋର ଧରିଛି। ଥାନା ଆଇଆଇସିଙ୍କ ମାନସିକ ନିର୍ଯାତନା ସହିନପାରି ଚାକିରିରୁ ଇସ୍ତଫା ଗ୍ରହଣ କରିବାକୁ ଜଣେ ପୁଲିସ ଏସ୍ଆଇ ଆବେଦନ କରିଛନ୍ତି। ଆବେଦନକାରୀ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନାର ଏସ୍ଆଇ ରାଧାନାଥ ଦାସ। ସେ ଧର୍ମଶାଳା ଥାନାର ଅଧିକାରୀ ରାକେଶ କୁମାର ତ୍ରିପାଠୀଙ୍କ ବିରୋଧରେ ଏସ୍ପିଙ୍କୁ ଲିଖିତ ଅଭିଯୋଗ କରି ଜଣାଇଛନ୍ତି।
ଏସ୍ଆଇ ରାଧାନାଥ ଦାସ ଅଭିଯୋଗ ଆଣିଛନ୍ତି ଯେ, ଆଇଆଇସି ରାକେଶ ତ୍ରିପାଠୀ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ କର୍ମକ୍ଷେତ୍ରରେ ଅତ୍ୟଧିକ ଚାପ ଦେଉଛନ୍ତି। ମାନିସିକ ଅତ୍ୟାଚାର କରୁଛନ୍ତି। ଏପରିକି ମା’ ଅସୁସ୍ଥ ଥିବା ବେଳେ ତାଙ୍କୁ ଗାଁକୁ ବି ଯିବାକୁ ଅନୁମତି ଦିଆଯାଉନି। ଏଭଳି ସ୍ଥିତିରେ ତାଙ୍କୁ ଆଇଆଇସି ରାକେଶ କୁମାର ତ୍ରିପାଠୀ ଅସୁବିଧାରେ ପକାଇବାକୁ ଧମକ ଦେଉଛନ୍ତି। ତେଣୁ ଚାକିରିରୁ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଉ ବୋଲି ଏସଆଇ ରାଧାନାଥ ଦାସ ନିଜେ ନିବେଦନ କରି ଯାଜପୁର ଏସପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଅନ୍ୟପଟେ ଏସ୍ଆଇ ରାଧାନାଥ କହିଛନ୍ତି, ମୋର ବୁଢ଼ି ମା’ର ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ଘରେ ଶଯ୍ୟାରେ ପଡ଼ି ରହିଛି। ଆମେ ପୁଅ ହୋଇ ତାହାର ସେବା କରିବା କ’ଣ କର୍ତ୍ତବ୍ୟ ନୁହେଁ। ହେଲେ ତୁମେ ଯାଇ ପାରିବନି, କେସ ଅଛି ବୁଝ ବୋଲି ଏହି ଆଇଆଇସି କହୁଛନ୍ତି। ମାନସୀକ ନିର୍ଯାତନା ଦେଉଛନ୍ତି ବୋଲି ଏସଆଇ ରାଧାନାଥ ଦାସ ଅଭିଯୋଗ ଆଣିଛନ୍ତି। ଆଇଆଇସିମାନେ ଅତି କମ୍ରେ ୩ଟି ଗୁରୁତ୍ୱପୂର୍ଣ୍ଣ ମାମଲା ବୁଝିବା କଥା। ତେବେ ନିୟମର ବ୍ୟତିକ୍ରମ ହେଉଥିବା ଏସଆଇ ରାଧାନାଥ ଦାସ ଅଭିଯୋଗ କରିଛନ୍ତି।