ଆପ୍କୁ ଝଟକା, ମେୟର ନିର୍ବାଚନ ପରେ ବିଜେପିରେ ସାମିଲ ହେଲେ କାଉନସିଲର
![](https://www.odishalink.com/wp-content/uploads/2023/02/app-750x430.jpg)
ଓଏଲ୍ ବ୍ୟୁରୋ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଜିତିବା ପରେ ଦିଲ୍ଲୀ ମେୟର ଓ ଡେପୁଟି ମେୟର ପଦ ହାତେଇବା ପରେ ଆମ୍ ଆଦମୀ ପାର୍ଟିକୁ ଲାଗିଛି ଝଟକା। ଏମସିଡି ନିର୍ବାଚନ ଜିତିଥିବା କାଉନସିଲର ପବନ ସେରାୱତ ଆଜି ଦଳ ବଦଳ କରିଛନ୍ତି। ସେ ଆପ୍କୁ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।
ଆପ୍ ଛାଡ଼ି ବିଜେପିରେ ସାମିଲ ହେବା ପରେ ପବନ କହିଛନ୍ତି, ଅନ୍ୟ ଆପ କାଉନସିଲରମାନେ ଏମସିଡି ବୈଠକରେ ନାରାବାଜୀ କରିବାକୁ ତାଙ୍କ ଉପରେ ଚାପ ପକାଇଥିଲେ। ଏହି କାରଣରୁ ସେ ନାରାବାଜୀ କରି ବିଶୃଙ୍ଖଳା କରିଥିଲେ ଓ ଷ୍ଟାଣ୍ଡିଂ କମିଟି ନିର୍ବାଚନ ହୋଇପାରି ନଥିଲା। ହେଲେ ଏବେ ସେ ଆପ୍ ଛାଡ଼ି ବିଜେପିରେ ସାମିଲ ହୋଇଥିବାରୁ ଆଶ୍ୱସ୍ତ ହୋଇଥିବା କହିଛନ୍ତି।
ବୱାନାରୁ ଜିତିଥିବା ଏହି ଆପ୍ କାଉନସିଲରଙ୍କୁ ବିଜେପିର ଦିଲ୍ଲୀ ୟୁନିଟ ଅଫିସରେ ଦଳର କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ସଚଦେବା ଓ ସାଧାରଣ ସମ୍ପାଦକ ହର୍ଷ ମାଲହୋତ୍ରା ସ୍ୱାଗତ କରିଛନ୍ତି। ଉତ୍ତରୀୟ ସହ ମିଠା ଖୁଆଇ ଉଭୟ ପବନଙ୍କୁ ବିଜେପି ସଦସ୍ୟତା ପ୍ରଦାନ କରିଛନ୍ତି।
ବୁଧବାର ମେୟର ଓ ଡେପୁଟି ମେୟର ନିର୍ବାଚନ ହୋଇଥିଲା। ଏହାପରେ ଷ୍ଟାଣ୍ଡିଂ କମିଟି ପାଇଁ ଭୋଟିଂ ହୋଇଥାଆନ୍ତା। ହେଲେ ସଦସ୍ୟଙ୍କ ନାରାବାଜୀ ଯୋଗୁ ଏହା ସମ୍ଭବ ପର ହୋଇନି। ଆଜି ଏନେଇ ପୁଣି ଭୋଟିଂ ହେବାର କାର୍ଯ୍ୟକ୍ରମ ରହିଛି।