ରାଜ୍ୟ ବଜେଟ୍ : ୨ ଶହ ମେଧାବୀଙ୍କୁ ମାଗଣାରେ ସିଭିଲ ସର୍ଭିସ କୋଚିଂ
ଯେଉଁଥିରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦ ହଜାର ୩୦ କୋଟି ବ୍ୟୟ ବରାଦ ହୋଇଛି।
![](https://www.odishalink.com/wp-content/uploads/2019/07/budget-1.jpg)
ଓଏଲ୍ ବ୍ୟୁରୋ : ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବଜେଟ ଅଧିବେଶନ ଆୟୋଜିତ ହେଉଛି। ଚଳିତ ବର୍ଷ ବଜେଟର ବ୍ୟୟ ଅଟକଳ ରହିଛି ୨ ଲକ୍ଷ ୩୦ ହଜାର କୋଟି। ଯେଉଁଥିରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦ ହଜାର ୩୦ କୋଟି ବ୍ୟୟ ବରାଦ ହୋଇଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସ କୋଚିଂ ପାଇଁ ବ୍ୟବସ୍ଥା ରହିଛି। ୨ ଶହ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସିଭିଲ ସର୍ଭିସ କୋଚିଂ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପ୍ରବେଶିକା ପରୀକ୍ଷା ଜରିଆରେ ଚୟନ ହେବେ ଶିକ୍ଷାର୍ଥୀ। ମାଗଣା କୋଚିଂ ସହ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା ରହିଥିବା ବଜେଟ ଅନ୍ତର୍ଭୁକ୍ତ କରାଯାଇଛି।
ବଜେଟରେ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି ୧୬ ହଜାର ୪୮ କୋଟି ଟଙ୍କା। ଗତ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ବଜେଟ୍ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି। ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟବରାଦ ହୋଇଥିବା ଟଙ୍କାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ବ୍ୟୟବରାଦ ବାବଦରେ ୩ ହଜାର ୭୨୫ କୋଟି ଟଙ୍କା ଓ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧୨ ହଜାର ୩୧ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଆମ ହସ୍ପିଟାଲ’ ନୂଆ ଯୋଜନା ମଧ୍ୟ ଆରମ୍ଭ କରିବେ ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ବଜେଟରେ ୭୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ତେବେ ଆଗାମୀ ୧ ବର୍ଷ ଭିତରେ ୧୪୭ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତରିତ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
କୃଷି ବଜେଟ ପାଇଁ ଅଟକଳ ମୂଲ୍ୟ ରହିଛି ୨୪ ହଜାର ୮୨୯ କୋଟି ଟଙ୍କା। ସରକାର କାଳିଆ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ୧ ହଜାର ୮ ଶହ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଶିକ୍ଷା ଓ ଭିତ୍ତିଭୁମି ୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଚାଷୀଙ୍କ ଆୟ ବୃଦ୍ଧି ସାଙ୍ଗକୁ ଉଦ୍ୟାନ କୃଷି ମଧ୍ୟ କୃଷକଙ୍କୁ ସଶକ୍ତ କରିଛି। ଉଦ୍ୟାନ କୃଷି ନିମନ୍ତେ ୩୮୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନା ମାଧ୍ୟମରେ କହିଛନ୍ତି। ଗମନାଗମନ ସଶକ୍ତିକରଣ ପାଇଁ ନୂଆ ଯୋଜନା କରାଯାଇଛି। ମିଶନ ଶକ୍ତି ସ୍କୁଟର ଯୋଜନାରେ ଇମ୍ୟୁନିଟି ସପୋର୍ଟ ଷ୍ଟାପ ଓ ଇସି ସଦସ୍ୟଙ୍କୁ ମିଳିବ ସ୍କୁଟର। ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ନିଆଯାଇଥିବା ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଉଛି। ସ୍କୁଟର ଯୋଜନା ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।
ମିଶନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି ବ୍ୟୟ ଅଟକଳ ହୋଇଛି। ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି ବ୍ୟୟ ବରାଦ ହୋଇଛି। ଜଳସେଚନ ପ୍ରକଳ୍ପ ଗୁଡ଼ିକର ଆଧୁନିକୀକରଣ ପାଇଁ ନବକୃଷ୍ଣ ଚୌଧୁରୀ ଜଳସେଚନ ଉନ୍ନୟନ ଯୋଜନାରେ ୧ ଶହ ୨୫ କୋଟି ଟଙ୍କାର ବ୍ୟୟବରାଦ ରହିଛି।