ଜାତୀୟ କନିଷ୍ଠ ମହିଳା ଖୋଖୋ ଖେଳାଳିଙ୍କ ଆତ୍ମହତ୍ୟା
ଆତ୍ମହତ୍ୟା କରିଥିବା ଜାତୀୟ ଜୁନିଅର ମହିଳା ଖୋଖୋ ଖେଳାଳି ହେଉଛନ୍ତି ମନିକା ନାଏକ
![](https://www.odishalink.com/wp-content/uploads/2023/02/m-750x430.jpg)
ଓଏଲ୍ ବ୍ୟୁରୋ : ବାରିଆ ଥାନା ନୟାଧନୁର୍ଜୟପୁର ଗ୍ରାମରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିଭିନ୍ନ ରାଜ୍ୟରେ ନିଜର ଖେଳ ପ୍ରତିଭା ଦେଖାଇବା ସହିତ ଦଳଗତ ଓ ବ୍ୟକ୍ତିଗତ ଭାବେ ବହୁ ପୁରସ୍କାରର ଅଧିକାରିଣୀ ହୋଇଥିବା ଜଣେ ଖୋଖୋ ଖେଳାଳି ଆତ୍ମହତ୍ୟା କରିଥିବା ଜଣା ପଡିଛି। ଆତ୍ମହତ୍ୟା କରିଥିବା ଜାତୀୟ ଜୁନିଅର ମହିଳା ଖୋଖୋ ଖେଳାଳି ହେଉଛନ୍ତି ମନିକା ନାଏକ।
ଖବର ଅନୁସାରେ, ଗତକାଲି ଆତ୍ମହତ୍ୟା କରିଥିବା ଜାତୀୟ ଜୁନିଅର ମହିଳା ଖୋଖୋ ଖେଳାଳି ମନିକା ନାଏକ ନିଜ ଘରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ। ପରିବାରର ଲୋକ ତାଙ୍କୁ ତୁରନ୍ତ ଝୁମ୍ପୁରା ଡାକ୍ତରଖାନା ଆଣିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ମନିକା କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।
ଆତ୍ମହତ୍ୟା କରିଥିବା ଖୋଖୋ ଖେଳାଳି ଜଣକ ଯୁକ୍ତଦୁଇ ଶ୍ରେଣୀରେ ଉଖୁଣ୍ଡା କଲେଜରେ ପଢ଼ୁଥିବା ବେଳେ ଜାତୀୟ କନିଷ୍ଠ ମହିଳା ଖୋଖୋ ଦଳରେ ସାମିଲ୍ ହୋଇଥିଲେ। ନିକଟରେ ଖେଲୋ ଇଣ୍ଡିଆ ମହିଳା ଜାତୀୟ ଖୋଖୋ ଲିଗ୍ ପକ୍ଷରୁ ଝାଡ଼ଖଣ୍ତ ରାଜ୍ୟର ଆଲବର୍ଟ ଏକ୍କା ଷ୍ଟାଡିୟମରେ ଅନୁଷ୍ଠିତ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶାକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏତେ ଭଲ କ୍ରୀଡ଼ାବିତ ଆତ୍ମହତ୍ୟା କରିବାର କାରଣ କଣ ହୋଇପାରେ ପ୍ରଶ୍ନବାଚୀ ସୃଷ୍ଟ ହେଉଥିବାବେଳେ ପରିବାର ପକ୍ଷରୁ ବାରିଆ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି କରିଛି। କ୍ରୀଡା ପ୍ରତି ରୁଚି ରଖୁଥିବା କ୍ରୀଡ଼ାବିତ ଜଣକ ଏପରି ଆତ୍ମହତ୍ୟା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।