ରାଜ୍ୟ ବଜେଟ୍ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୨୮ କୋଟି
ମୋ ସ୍କୁଲ ଅଭିଯାନରେ ୭ ଲକ୍ଷ ୭୧ ହଜାର ୯ ଶହ ୩୪ ଜଣ ପୂର୍ବତନ ଛାତ୍ରଛାତ୍ରୀ ୩୧ ଜାନୁଆରୀ ୨୦୨୩ ସୁଦ୍ଧା ସାମିଲ ହେବା ସହ ୧ ଶହ ୯୬ କୋଟି ଟଙ୍କା ସହାୟତା ପ୍ରଦାନ
![](https://www.odishalink.com/wp-content/uploads/2019/07/budget-1.jpg)
ଓଏଲ୍ ବ୍ୟୁରୋ : ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବଜେଟ ଅଧିବେଶନ ଆୟୋଜିତ ହେଉଛି। ଚଳିତ ବର୍ଷ ବଜେଟର ବ୍ୟୟ ଅଟକଳ ରହିଛି ୨ ଲକ୍ଷ ୩୦ ହଜାର କୋଟି। ଯେଉଁଥିରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦ ହଜାର ୩୦ କୋଟି ବ୍ୟୟ ବରାଦ ହୋଇଛି।
ରାଜ୍ୟ ବଜେଟରେ ଶିକ୍ଷାକୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୨୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ୨୦୨୨-୨୩ ଶିକ୍ଷା ବର୍ଷରୁ ଶ୍ରେଣୀ ଗୃହ ଭିତରେ ଓ ବାହାରେ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ପାଇଁ ୫ଟି ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧିନରେ ଏକାଡେମିକ କ୍ୟାଲେଣ୍ଡର, ହାଉସ ସିଷ୍ଟମ ଏବଂ ସ୍କୁଲ ସ୍ତରୀୟ କ୍ଲବ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ମୋ ସ୍କୁଲ ଅଭିଯାନରେ ୭ ଲକ୍ଷ ୭୧ ହଜାର ୯ ଶହ ୩୪ ଜଣ ପୂର୍ବତନ ଛାତ୍ରଛାତ୍ରୀ ୩୧ ଜାନୁଆରୀ ୨୦୨୩ ସୁଦ୍ଧା ସାମିଲ ହେବା ସହ ୧ ଶହ ୯୬ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସେମାନଙ୍କ ଅନୁରୂପ ଅନୁଦାନକୁ ଦୃଷ୍ଟିରେ ରଖି ସରକାର ବିଦ୍ୟାଳୟ ଗୁଡିକର ସାମଗ୍ରିକ ବିକାଶ ପାଇଁ ୩ ଶହ ୮୨ କୋଟି ଟଙ୍କାର ଅନୁରୂପ ପ୍ରଦାନ କରିଛନ୍ତି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୮ଶହ ୫କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ଦିଆଯାଇଛି।
ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ବଜେଟରେ ୨୦ କୋଟି ବ୍ୟୟ ଅଟକଳ ହୋଇଛି। ୨୦୨୩ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ମୋ କଲେଜ’ ପାଇଁ ୧୭୦ କୋଟି ବ୍ୟୟ ଅଟକଳ ହୋଇଥିବାବେଳେ ମେଧାବୀଙ୍କୁ ଲାପଟପ ବଣ୍ଟନ ପାଇଁ ୫୦ କୋଟି ବ୍ୟୟବରାଦ ହୋଇଛି।
ବଜେଟରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସ କୋଚିଂ ପାଇଁ ବ୍ୟବସ୍ଥା ରହିଛି। ୨ ଶହ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସିଭିଲ ସର୍ଭିସ କୋଚିଂ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପ୍ରବେଶିକା ପରୀକ୍ଷା ଜରିଆରେ ଚୟନ ହେବେ ଶିକ୍ଷାର୍ଥୀ। ମାଗଣା କୋଚିଂ ସହ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା ରହିଥିବା ବଜେଟ ଅନ୍ତର୍ଭୁକ୍ତ କରାଯାଇଛି।
ଗମନାଗମନ ସଶକ୍ତିକରଣ ପାଇଁ ନୂଆ ଯୋଜନା କରାଯାଇଛି। ମିଶନ ଶକ୍ତି ସ୍କୁଟର ଯୋଜନାରେ ଇମ୍ୟୁନିଟି ସପୋର୍ଟ ଷ୍ଟାପ ଓ ଇସି ସଦସ୍ୟଙ୍କୁ ମିଳିବ ସ୍କୁଟର। ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ନିଆଯାଇଥିବା ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଉଛି। ସ୍କୁଟର ଯୋଜନା ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ମିଶନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି ବ୍ୟୟ ଅଟକଳ ହୋଇଛି। ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି ବ୍ୟୟ ବରାଦ ହୋଇଛି।