୯୦ ପ୍ରତିଶତ ଆୟତ୍ତ ହେଲା ପୁରୀ ଲକ୍ଷ୍ମୀ ମାର୍କେଟ୍ ନିଆଁ : ଅଗ୍ନିଶମ ଡିଜି
ପୁରୀ ବଡଦାଣ୍ଡ ପାର୍ଶ୍ବରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।
ଓଏଲ୍ ବ୍ୟୁରୋ : ପୁରୀ ମରିଚିକୋଟ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୁଧବାର ରାତିରୁ ଜଳୁଛି ପୁରୀ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ। ଅନେକ ପ୍ରଚେଷ୍ଟା ପରେ ବର୍ତମାନ ପୁରୀ ଲକ୍ଷ୍ମୀ ମାର୍କେଟ୍ ନିଆଁ ୯୦ ପ୍ରତିଶତ ଆୟତ୍ତ ହୋଇଛି। ଅଳ୍ପ ସମୟ ଭିତରେ ପୂରା ନିଆଁ ଆୟତ୍ତ ହେବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ, ପୁରୀ ଲକ୍ଷ୍ମୀ ମାର୍କେଟରେ ଲାଗିଥିବା ଅଣାୟତ୍ତ ନିଆଁ ଭିତରୁ ସୁନା ଅଳଙ୍କାର ଉଦ୍ଧାର କରାଯାଇଛି। ପାଖାପାଖି ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ସହ ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି। ନିଆଁ ଲାଗିଥିବା ହୋଟେଲରୁ ମିଳିଛି ସୁନା ଅଳଙ୍କାର ଓ ଟଙ୍କା। ତେବେ ବ୍ରତଘର ପାଇଁ ବ୍ରହ୍ମପୁରରୁ ଆସି ହୋଟେଲରେ ରହିଥିଲେ ଏକ ପରିବାର। ରାତିରେ ନିଆଁ ଲାଗିବାରୁ ହୋଟେଲରେ ସବୁ ଛାଡ଼ି ବାହାରି ପଳାଇଥିଲେ ବ୍ରତଘର ପାଇଁ ବ୍ରହ୍ମପୁରରୁ ଆସିଥିବା ପରିବାର ଲୋକେ।
ପୁରୀ ବଡଦାଣ୍ଡ ପାର୍ଶ୍ବରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ତଳ ମହଲାରେ ଥିବା ଏକ ଡ୍ରେସ ଦୋକାନରୁ ନିଆଁ ଲାଗିଥିବା ଅଗ୍ନିଶମ କର୍ମଚାରୀମାନେ ଆଶଙ୍କା କରୁଛନ୍ତି। ଚାହୁଁ ଚାହୁଁ ମାର୍କେଟ କମ୍ପ୍ଲେକ୍ସରେ ଥିବା ସମ୍ରାଟ ହୋଟେଲକୁ ନିଆଁ ବ୍ୟାପିଯାଇଥିଲା। ସମ୍ରାଟ ଗେଷ୍ଟ ହାଉସରେ ବିଭିନ୍ନ ସ୍ଥାନରୁ ଯାତ୍ରୀମାନେ ଆସି ରହିଥିଲେ। ନାସିକରୁ ଆସିଥିବା ୧୨୦ ଜଣ ପର୍ଯ୍ୟଟକ ଏଠାରେ ଥିବା ସୂଚନା ମିଳିଥିଲା। ଗତ ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଯାଇଥିଲା।
ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ରାତିରୁ ଲାଗିଥିବା ନିଆଁ ଆୟତ୍ତ ହେବା ପରିବର୍ତ୍ତେ ପ୍ରଥମ ମହଲାରୁ ଦ୍ୱିତୀୟ ମହଲାକୁ ବ୍ୟାପିବାରେ ଲାଗିଛି। ଦ୍ୱିତୀୟ ମହଲାରେ ଥିବା ବ୍ୟାଙ୍କ ସହ ଅନ୍ୟାନ୍ୟ ଦୋକାନକୁ ନିଆଁ ବ୍ୟାପିବାର ଲାଗିଥିଲା। ନିଆଁ ସାଙ୍ଗକୁ ପ୍ରବଳ ଧୂଆଁ ଚାରିପାଖେ ଛାଇଯାଇଥିଲା। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ନିଆଁକୁ ଆୟତ କରିବାକୁ ସମସ୍ତ ପ୍ରଚେଷ୍ଟା ଜାରି ରହିଛି।