ଅଗ୍ନିକାଣ୍ଡରେ ଭସ୍ମୀଭୂତ ହେଲା ୧୭ ବଖରା ଘର
ଘର ଉପରେ ନିଆଁ ଦେଖି ସ୍ଥାନୀୟ ଲୋକେ ଖବର ଦେବା ପରେ ଘରଭିତରେ ଶୋଇଥିବା ଛୋଟ ଛୋଟ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା।

ଓଏଲ୍ ବ୍ୟୁରୋ : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବିଦ୍ୟାଧରପୁର ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭୟଙ୍କର ଅଗ୍ନିକାଣ୍ଡରେ ଭସ୍ମୀଭୂତ ହୋଇଯାଇଛି୧୭ ବଖରା ଘର। ଅଗ୍ନିକାଣ୍ଡରେ ସମ୍ମୁଖୀନ ହୋଇଥିବା ସାତଟି ପରିବାରର ପାଖାପାଖି ଚାଳିଶରୁ ଊର୍ଦ୍ଧ୍ବ ସଦସ୍ୟ ବାସହରା ହୋଇଥିବା ଜଣା ପଡିଛି। ଏଥିସହିତ ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ତଥା ଧାନ, ଚାଉଳ ଏବଂ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।
ଖବର ଅନୁସାରେ, ଆଜି ଦିନ ପାଖାପାଖି ୨.୩୦ ମିନିଟ ସମୟରେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବିଦ୍ୟାଧରପୁର ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ଘର ଉପରେ ନିଆଁ ଦେଖି ସ୍ଥାନୀୟ ଲୋକେ ଖବର ଦେବା ପରେ ଘରଭିତରେ ଶୋଇଥିବା ଛୋଟ ଛୋଟ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡ ଏତେ ଅଧିକ ମାତ୍ରାରେ ଥିଲା ଯେ, ଚାହୁଁଚାହୁଁ ଅନ୍ୟ ଘରଗୁଡ଼ିକୁ ଏହି ନିଆଁ ବ୍ୟାପିଥିଲା। ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଥିଲା। ଘର ପୋଡ଼ି ନଷ୍ଟ ହୋଇଥିବା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ଦାବି କରାଯାଇଥିବା ଜଣା ପଡିଛି।