ହେଲିକପ୍ଟର୍ ଏଏଲ୍ଏଚ୍ ଧ୍ରୁବର ଉଡ଼ାଣ ସେବା ବନ୍ଦ
ଏହା ସାମରିକ କର୍ମଚାରୀଙ୍କୁ ନେବା ଆଣିବା ଏବଂ ସାମଗ୍ରୀ ପରିବହନ ସହିତ ଅନେକ ଭୂମିକାରେ ବ୍ୟବହୃତ ହୋଇଥାଏ।
ଓଏଲ୍ ବ୍ୟୁରୋ : ମୁମ୍ବାଇ ଉପକୂଳରେ ଦୁଇ ଦିନ ତଳେ ଘଟିଥିଲା ହେଲିକପ୍ଟର୍ ଦୁର୍ଘଟଣା। ତେବେ ଦୁର୍ଘଟଣା କାରଣରୁ ବନ୍ଦ ହୋଇଛି ହେଲିକପ୍ଟର୍ ଧ୍ରୁବର ଉଡ଼ାଣ ସେବା। ହେଲିକପ୍ଟର୍ ଦୁର୍ଘଟଣାର କାରଣ ଜଣାନପଡ଼ିବା ପର୍ଯ୍ୟନ୍ତ ଉଡ଼ାଣ ସେବାକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରତିରକ୍ଷା ବାହିନୀ।
ସୂଚନା ଅନୁସାରେ, ଭାରତୀୟ ତଟରକ୍ଷୀ ବାହିନୀ ସହ ନୌସେନା ଓ ବାୟୁସେନା ଦ୍ୱାରା ଧ୍ରୁବ ହେଲିକପ୍ଟର୍ ପରିଚାଳିତ ହୋଇଥାଏ। ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଧ୍ରୁବ୍ ହେଉଛି ଏକ ବହୁବିଧ କାର୍ଯ୍ୟ ସଂପନ୍ନ କରୁଥିବା ହେଲିକପ୍ଟର। ଯାହା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ନିର୍ମିତ ହୋଇଛି। ଏହା ସାମରିକ କର୍ମଚାରୀଙ୍କୁ ନେବା ଆଣିବା ଏବଂ ସାମଗ୍ରୀ ପରିବହନ ସହିତ ଅନେକ ଭୂମିକାରେ ବ୍ୟବହୃତ ହୋଇଥାଏ।
ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ ଯେପର୍ଯ୍ୟନ୍ତ ଅନୁସନ୍ଧାନକାରୀ ଟିମ୍ ମୁମ୍ବାଇ ଉପକୂଳରେ ହୋଇଥିବା ଏହି ହେଲିକପ୍ଟର୍ ଦୁର୍ଘଟଣାର କାରଣ ନଜାଣିଛନ୍ତି ଏସେପର୍ଯ୍ୟନ୍ତ ଏ ହେଲିକପ୍ଟର୍ ଉଡ଼ାଣ ବନ୍ଦ ରଖାଯିବ। ଭାରତୀୟ ନୌସେନାର ଏଏଲ୍ଏଚ୍ ଧ୍ରୁବ୍ ହେଲିକପ୍ଟର ଦୈନଦିନ ଉଡ଼ାଣ ବେଳେ ଯାନ୍ତ୍ରିକ ସମସ୍ୟା ହେତୁ ମୁମ୍ବାଇ ଉପକୂଳ ନିକଟ ଆରବ ସାଗରରେ ପାଣି ଉପରେ ହେଲିକପ୍ଟର୍ଟି ଜରୁରୀ ଅବତରଣ କରିଥିଲା।