ଭିସୁଟ ପୂର୍ବତନ ଛାତ୍ରୀ ମୃତ୍ୟୁ ଘଟଣା ; ଭିସେରା ରିପୋର୍ଟକୁ ଅପେକ୍ଷା
ଡାଏଟମ ରିପୋର୍ଟ ଅନୁସାରେ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି।
ଓଏଲ୍ ବ୍ୟୁରୋ : ଭିସୁଟ୍ ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣାକୁ ନେଇ ଜାରି ରହିଛି ତଦନ୍ତ। ମୃତ୍ୟୁର ୧୧ଦିନରେ ଆଜି ସାମ୍ନାକୁ ଆସିଲା ଡାଏଟମ୍ ଟେଷ୍ଟ ରିପୋର୍ଟ। ଚିନ୍ମୟୀ ପ୍ରିୟଦର୍ଶିନୀ ପାଣିରେ ବୁଡି ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ଆସିଥିବା ବ୍ୟବଚ୍ଛେଦ ରିପୋର୍ଟରେ ବି ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଉଲ୍ଲେଖ ହୋଇଥିଲା। ତେବେ ଚିନ୍ମୟୀଙ୍କ ମୃତ୍ୟୁ ଘଟଣାକୁ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି। ଡାଏଟମ ରିପୋର୍ଟ ଅନୁସାରେ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି।
ମୃତ୍ୟୁ କେଉଁ ଭଳି ପରିସ୍ଥିତିରେ ହେଲା ତାର ତଦନ୍ତ ଚାଲୁ ରହିବ ବୋଲି ସେ କହିଛନ୍ତି। ଆତ୍ମହତ୍ୟା କରିଛନ୍ତି କି କେହି ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି ତାହାର ତଦନ୍ତ ହେବ। ଭିସେରା ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହୋଇଯିବ ବୋଲି ଏସ୍ପି କହିଛନ୍ତି। କିଛି ବିଷାକ୍ତ ପଦାର୍ଥ ବା ନିଶାଦ୍ରବ୍ୟ ଖାଇଥିଲେ ଭିସେରାରୁ ଜଣାପଡ଼ିବ। ମୃତ ଛାତ୍ରୀ ଚିନ୍ମୟୀଙ୍କର କାହା ସହ ଝଗଡ଼ା ବା ମାରିବା ଚକ୍ରାନ୍ତର କିଛି ପ୍ରମାଣ ନାହିଁ। କୌଣସି ଯୌନାଚାର ମଧ୍ୟ ହୋଇନଥିବା ରିପୋର୍ଟରୁ ଜଣାପଡ଼ିଛି ବୋଲି ସମ୍ବଲପୁର ଏସପି କହିଛନ୍ତି।
ଖବର ଅନୁସାରେ, ଚିନ୍ମୟୀଙ୍କ ମୃତ୍ୟୁ ଘଟଣାକୁ ୧୦ଦିନ ବିତି ଯାଇଥିଲେ ମଧ୍ୟ ଘଟଣା ଉପରୁ ସମ୍ପୂର୍ଣ ପରଦା ହଟାଇ ପାରିନାହିଁ ପୁଲିସ। ଏହି ଘଟଣାରେ ପ୍ରୀତିମାନ ଓ ମାନସଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିବା ସୂଚନା ମିଳିଥିଲା। ଆଇଜିଙ୍କ ଉପସ୍ଥିତିରେ ରାତି ଅଧରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିଲା। କେମିତି ଓ କ’ଣ ଘଟିଥିଲା ସେ ବିଷୟରେ ସେଠାରେ ପୁଲିସକୁ ଡେମୋ ଦେଖାଇଥିଲେ। ସେହିପରି ଏସଡିପିଓଙ୍କ ଅଫିସରେ ପ୍ରୀତିମାନ ଓ ମାନସଙ୍କୁ ମାରାଥନ ଜେରା କରାଯାଇଥିଲା।
ମୃତ୍ୟୁ ଘଟଣାକୁ ନେଇ ପୁଲିସ ତଦନ୍ତ ଉପରେ ସନ୍ତୁଷ୍ଟ ନ ଥିବା କହିଥିଲେ ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳି ସାହୁ। ପୁଲିସର ତଦନ୍ତ ଉପରେ ଭରସା ପାଉନି, ବିଶ୍ବାସ ଲାଗୁନି। ପୁଲିସର ତଦନ୍ତ ଏକପାଖିଆ ଲାଗୁଛି। ଦୋଷୀକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ବାଟ ଖୋଲାଯାଉଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୃତ ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ବାପା ଡା. ବନମାଳି ସାହୁ ଏଭଳି ଅଭିଯୋଗ ଆଣିଥିଲେ। ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁ ମଧ୍ୟ ନ୍ୟାୟ ମିଳିବା ଭଳି ଲାଗୁନାହିଁ ବୋଲି କହିଥିବା ଜଣା ପଡିଥିଲା।